କରୋନା ବିଗାଡିଦେଲା ସ୍ୱପ୍ନ । ଭୁବନେଶ୍ୱରରେ ପରିବା ବିକୁଛନ୍ତି ବଲିଉଡର ଓଡିଆ କଳାକାର, ଅକ୍ଷୟକୁମାର ଓ ସଂଜୟ ଦତଙ୍କ ଭଳି ଷ୍ଟାରଙ୍କ ସହ କରିଛନ୍ତି ଅଭିନୟ

981

କନକ ବ୍ୟୁରୋ : ବଡ ପରଦାରୁ ପରିବା ହାଟ । ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ନିରାଟ ସତ । ବଡ ପରଦାରେ ସୂର୍ଯ୍ୟବଂଶୀ ଓ ଲୋକପ୍ରିୟ ଧାରାବାହିକ ‘ଶ୍ରୀଗଣେଶ’ରେ ଅଭିନୟ କରିଥିବା କାର୍ତିକ ସାହୁ ଏବେ ହାଟରେ ପରିବା ବିକୁଛନ୍ତି ।

କେତେବେଳେ ପୁଲିସ୍ ଅଫିସର୍, ତ ଆଉ କେତେବେଳେ ସୁରକ୍ଷାକର୍ମୀ । ଏମିତି କି ଏକାଧିକ ଆଧ୍ୟାତ୍ମିକ ଧାରାବାହିକରେ ବି ନଜର ଆସୁଥିବା ଏହି ଯୁବକଙ୍କୁ ଆପଣ ଟିଭି ପରଦାରେ କିମ୍ବା ସିନେମାରେ ଦେଖିଥାଇ ପାରନ୍ତି । ଇଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର କାର୍ତିକ ସାହୁ । ହେଲେ ଏବେ ପରିସ୍ଥିତିରେ ପଡି ଅଭିନେତାରୁ ପାଲଟି ଯାଇଛନ୍ତି ପରିବା ବିକାଳି । ମୁମ୍ବାଇ ମାୟାନଗରୀ ଯାଇ ନିଜର ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କାର୍ତିକ, କରୋନା ଯୋଗୁଁ ଏବେ ଭୁବନେଶ୍ୱର ରସୁଲଗଡ ଅଂଚଳରେ ପରିବା ବିକ୍ରି କରୁଛନ୍ତି ।

ନିଜର ସୁନ୍ଦର ସ୍ୱାସ୍ଥ୍ୟପାଇଁ କାର୍ତିକ ମୁମ୍ବାଇର ବିଭିନ୍ନ ସ୍ଥାନରେ ବାଉନସର ଭାବରେ କାମ କରୁଥିଲେ । ହଠାତ ସେ, ଅକ୍ଷୟ କୁମାରଙ୍କ ସହ ସୂର୍ଯ୍ୟବଂଶୀ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଥିଲେ । ଏହି ଫିଲ୍ୱରେ ସେ ପୁଲିସ ଭାବରେ ନଜର ଆସୁଛନ୍ତି । ବଲିଉଡ ଷ୍ଟାର ସଂଜୟ ଦତ୍ତଙ୍କ ସହ ବି କାମ କରିଛନ୍ତି କାର୍ତିକ । ଶ୍ରୀଗଣେଶ ଭଳି ମେଗା ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ହେଲେ, ଠିକ ନିଜ କ୍ୟାରିୟର ଉପରକୁ ଉଠୁଥିବା ବେଳେ ବାଧକ ହେଲା କରୋନା ।

କେନ୍ଦ୍ରାପଡ଼ାର ଗରଦପୁର ଅଂଚଳରୁ ଯାଇ ନିଜର ଅଭିନୟ ଦକ୍ଷତା ପାଇଁ ବଲିଉଡରେ ବିଭିନ୍ନ ଛୋଟମୋଟ ଭୂମିକା ପାଇଥିଲେ କାର୍ତିକ । ଏକାଧିକ ସିନେମା ଓ ଧାରାବାହିକାରେ ଅଭିନୟ କରିବାର ସୁଯୋଗ ବି ପାଇଥିଲେ । କିନ୍ତୁ କରୋନା ଫଳରେ ଅଧାରେ ରହିଗଲା ସ୍ୱପ୍ନ । ଆଉ ଓଡିଶା ଫେରିବା ପରେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ହାତରେ ଧରିଛନ୍ତି ନିକିତି ।