ସୁଶାନ୍ତ ସିଂ ରାଜପୁତ ମୃତ୍ୟୁରେ ସ୍ତବ୍ଧ ବଲିଉଡ୍ । ଆଜି ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର : କଟକଣା ଭିତରେ ହେବ ଶେଷଯାତ୍ରା : ଆରମ୍ଭ ହେଲା ତଦନ୍ତ

686

କନକ ବ୍ୟୁରୋ : ଛୋଟ ପରଦାରୁ ବଡ ପରଦା ଯାଏଁ ଏକ ସଫଳ ଯାତ୍ରାର ନାୟକ ଭାବେ ଦେଶ ବିଦେଶରେ ନାଁ କରିଥିବା ୩୪ବର୍ଷିୟ ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଜି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସୁଶାନ୍ତଙ୍କ ପରିବାର ଆଜି ମୁମ୍ବାଇରେ ପହଁଚିବେ । ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ଗତକାଲି ତାଙ୍କ ମୃତଦେହ ମିଳିଥିଲା । ମୁମ୍ବାଇ ପୁଲିସର ଅତିରିକ୍ତ କମିସନର କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ସେଠାରୁ କୌଣସି ସୁଇସାଇଡ ନୋଟ ମିଳି ନାହିଁ । ତେଣୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ ।

ତେବେ ଦୀର୍ଘଦିନ ଧରି ସେ ଅବସାଦଗ୍ରସ୍ତ ଥିଲେ ବୋଲି ଜଣାପଡିଛି । ସୁଶାନ୍ତଙ୍କ ଘରୋଇ ସହାୟିକା ପୋଲିସ ଆଗରେ ଏହି କଥା କହିଥିବା ବେଳେ ତାଙ୍କ ଘରୁ ମେଡିକାଲ ପ୍ରେସକ୍ରିପସନ ଓ ମେଡିସିନ୍ ମିଳିଛି । ୬ ଦିନ ତଳେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯାଇଛି । ସେ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ସୁଶାନ୍ତଙ୍କ ଦୁଇଟି ମୋବାଇଲ ଫୋନ୍ ଓ ଲାପଟପକୁ ତଦନ୍ତ ପାଇଁ ଫରେନସିକ୍ ଟିମକୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୋଲିସ ପଚରାଉଚରା କରୁଛି ।

ବଲିଉଡ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବଲିଉଡ୍ ସେଲିବ୍ରିଟି ଓ ଖେଳାଳିଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ଓଡ଼ିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ନିଜ ବାଲୁକା କଳା ମାଧ୍ୟମରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାନସ ସ୍ୟାଣ୍ଡ ଆନିମେସନ ଜରିଆରେ ସୁଶାନ୍ତଙ୍କୁ ମନେପକାଇ ଶ୍ରଦ୍ଧାଂଜଳି ଦେଇଛନ୍ତି । ସୁଶାନ୍ତ ତାଙ୍କ ପ୍ରଶଂସକଙ୍କ ମହଲରେ ସବୁଦିନ ମନେ ରହିବ ବୋଲି ବାଲୁକା କଳା ମାଧ୍ୟମରେ ବାର୍ତା ଦିଆଯାଇଛି ।