ବିବାଦ ଭିତରେ ଆଜି ରିଲିଜ ହେଉଛି ବଲିଉଡ ଫିଲ୍ମ ପଠାନ । ଆଡଭାନ୍ସ ବୁକିଂରେ KGF-2 ଓ ବାହୁବଳୀ ୨ର ରେକର୍ଡ ଭାଙ୍ଗିଲା

213

କନକ ବ୍ୟୁରୋ: ବିବାଦ ଭିତରେ ଆଜି ରିଲିଜ୍ ହେଉଛିି ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ । ଦେଶର ପ୍ରାୟ ଅଢ଼େଇ ହଜାରରୁ ଅଧିକ ଫିଲ୍ମ ହଲରେ ପଠାନ୍ ରିଲିଜ୍ ହେବ । ଦୀର୍ଘ ଚାରି ବର୍ଷ ପରେ ଶାହାରୁଖ ଖାନଙ୍କ ଅଭିନୀତ କୌଣସି ଫିଲ୍ମ ବଡ ପରଦାକୁ ଆସୁଥିବାରୁ , ଦେଖିବାକୁ ସିନେ ପ୍ରେମିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।

ପଠାନ ଦେଖିବାକୁ ଲୋକଙ୍କ ଭିତରେ କେତେ ଆଗ୍ରହ ରହିଛି, ରିଲିଜ୍ ହେବା ପୂର୍ବରୁ ବକ୍ସ ଅଫିସ ଆଡଭାନ୍ସ ବୁକିଂ ତାର ସୂଚନା ଦେଉଛି । ଆଜି ପାଇଁ ଅଧିକାଂଶ ଫିଲ୍ମ ହଲର ଟିକେଟ ଆଗୁଆ ବୁକ୍ଂ କରିଛନ୍ତି ସିନେ ପ୍ରେମୀ । ଗତ ବୁଧବାର ଫିଲ୍ମ ପାଇଁ ଦେଶର କେତେକ ସ୍ଥାନରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଭଲ ବ୍ୟବସାୟ ହେବା ପରେ, ଗୁରୁବାରଠାରୁ ସାରାଦେଶରେ ଆରମ୍ଭ ହୋଇଥିଲା ଆଡଭାନ୍ସ ବୁକିଂ । ପ୍ରଥମ ଦିନରେ ୨୪ଘଂଟା ଭିତରେ ୧ଲକ୍ଷ ୧୭ହଜାରରୁ ଅଧିକ ଟିକେଟ ବୁକ୍ ହୋଇଥିଲା । ଦ୍ୱିତୀୟ ଦିନରେ ୨ଲକ୍ଷ ଟିକେଟ ବିକ୍ରି ହୋଇଥିଲା । ରବିବାର ସୁଦ୍ଧା ୪ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇ ସାରିଛି । ସୋମବାରରୁ ଆଜି ଭିତରେ ଆହୁରି ବହୁତ ଟିକେଟ ଆଗୁଆ ବିକ୍ରି ହୋଇଥିବା କୁହାଯାଉଛି । ଏପରିକି ପୂର୍ବରୁ ଥିବା ସବୁ ରେକର୍ଡକୁ ଫିଲ୍ମ ପଠାନ ଭାଂଗିବାକୁ ଯାଉଛିି ବୋଲି ଚର୍ଚ୍ଚା ହେଉଛି ।

ବାହୁବଳୀ, କେଜିଏଫ-୨ ଓ ୱାର ଭଳି ଫିଲ୍ମର ଆଡଭାନ୍ସ ବୁକିଂ ଠାରୁ ଅଧିକ ବୁକିଂ ହେବ ବୋଲି କୁହାଯାଉଛି । ଫିଲ୍ମ ବାହବଳୀ- ୨ ଦେଖିବାକୁ ସର୍ବାଧିକ ୬ଲକ୍ଷ ୫୦ ହଜାର ଟିକେଟ୍ ଆଡଭାନ୍ସ ବୁକ୍ ହୋଇଥିଲା । ସେହିପରି ଫିଲ୍ମ କେଜିଏଫ ଦେଖିବାକୁ ୫ଲକ୍ଷ ୧୫ହଜାର ଓ ୱାର ଦେଖିବାକୁ ୪ଲକ୍ଷ ୫ହଜାର ଟିକେଟ ଆଗୁଆ ବୁକ୍ ହୋଇଥିଲା । ଯେଉଁ ରେକର୍ଡକୁ ଭାଂଗି ଦେଇପାରେ ପଠାନ୍ । ଅନୁମାନ କରାଯାଉଛି ଛୁଟି ଦିନ ହୋଇନଥିଲେ ବି, ରିଲିଜର ପ୍ରଥମ ଦିନରେ ୪୦ରୁ ୪୫କୋଟି ଟଙ୍କାର ବ୍ୟବସାୟ କରିପାରେ ଫିଲ୍ମ ପଠାନ୍ । ..ଦେଶର ବିଭିନ୍ନ ରାଜ୍ୟରେ ପରଦାକୁ ଆସିବା ସହ ଓଡିଶାରେ ବି ପଠାନ ରିଲିଜ୍ ହେବ ।

ଅନ୍ୟପଟେ ଫିଲ୍ମକୁ ବିରୋଧ କରିବାକୁ ପୂର୍ବରୁ ଚେତାବନୀ ଦେଇଛି କଳିଙ୍ଗ ସେନା । ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ଏହି ଫିଲ୍ମ ଆଘାତ ପହଁଚାଉଥିବା ଅଭିଯୋଗ କରି କଳିଙ୍ଗ ସେନା ପ୍ରତିବାଦ କରିବ ବୋଲି କହିଛି । ଅନ୍ୟପଟ ଶାହାରୁଖଙ୍କ ଫ୍ୟାନ କ୍ଲବ୍ ପକ୍ଷରୁ ପଠାନର ରିଲିଜକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଯୋଜନା କରାଯାଇଥିବା ଜଣାପଡିଛି । ଯାହା ବେଶ ଚର୍ଚ୍ଚାର ବିଷୟ ହୋଇଛି ।