ମଫସଲରୁ ମାୟାନଗରୀ, ସ୍ୱପ୍ନ ବୁଣୁଥିଲେ ସୁକଦେବ । କାଳ ହେଲା କରୋନା, ବନ୍ଦ କରିଦେଲା ସବୁ ବାଟ । ବଲିଉଡ ସେଲିବ୍ରିଟିଙ୍କ ସିଲେଇ ମାଷ୍ଟର ଏବେ ଗାଁରେ କରୁଛନ୍ତି ସଙ୍ଘର୍ଷ । ଦେଖନ୍ତୁ କୋଟ୍ ମାଷ୍ଟରଙ୍କ କରୁଣ କାହାଣୀ…

634

କନକ ବ୍ୟୁରୋ: ସଙ୍କଟରେ ସେଲିବ୍ରିଟିଙ୍କ ସିଲେଇ ମାଷ୍ଟର । ମହାମାରୀ ବନ୍ଦ କରିଦେଲା ମାୟାନଗରୀ ବାଟ । ଦିନେ ଏଇ ହାତ ନବାଜିଲେ କୋଟ୍ ପିନ୍ଧନ୍ତିନି ଅଭିନେତା । ଏଇ ହାତରେ କୋଟ୍ ତିଆରି ନହେଲେ ସାମ୍ନାକୁ ଆସନ୍ତିନି ଅଭିନେତାରୁ ରାଜନେତା । ବଡ ବଡ ସେଲିବ୍ରିଟିଙ୍କ କୋଟ୍ ତିଆରି କଥା ଉଠିଲେ ଖୋଜାପଡନ୍ତି ସୁକଦେବ । ଆଉ ନିଜର ଯାଦୁଗରୀ କାରିଗରୀରେ ସିନେ ଷ୍ଟାରଙ୍କୁ ଭେଟିଦିଅନ୍ତି ମନପସନ୍ଦର କୋଟ୍ । ବୋଧେ ସେଇଥିପାଇଁ ସୁକଦେବଙ୍କ ହାତ ସିଲେଇ କୋଟ୍ ପିନ୍ଧିବାକୁ ମାୟାନଗରୀର ନାମିଦାମୀ କଳାକାରଙ୍କ ଭିଡ ଜମେ ।

ସୁକଦେବ ସାହୁ । ଆଠଗଡ କଖଡି ଗାଁର ଜଣେ ସିଲେଇ କାରିଗର । ପାଠ ପଢା ସରିବା ପରେ ବଞ୍ଚିବା ପାଇଁ ରୋଜଗାର କରିବାକୁ ବମ୍ବେ ଯାଇଥିଲେ । ସେଠାରେ ଏକ କାରଖାନାରେ କାମ କରୁ କରୁ ସେ ବନିଗଲେ କୋଟ୍ ମାଷ୍ଟର । ନୂଆ ନୂଆ ଷ୍ଟାଇଲ୍ ସହ ସୁନ୍ଦର ଓ ଆକର୍ଷଣୀୟ କାରିଗରୀ ପାଇଁ ସୁକଦେବଙ୍କ ନାଁ ସିନେ ଇଣ୍ଡଷ୍ଟ୍ରିରେ ଖେଳିଯାଏ ଆଉ ଭଲ ମାପର କୋଟ୍ ବନାଉଥିବାରୁ ତାଙ୍କ ପାଖରେ ଲାଗେ ନାମି ହିରୋଙ୍କ ଲାଇନ୍ । ତେବେ କୋଟ୍ ତିଆରି ପାଇଁ ବଲିଉଡର ପ୍ରାୟ ଅଭିନେତାଙ୍କ ପ୍ରଥମ ପସନ୍ଦ ଥିଲେ ସୁକଦେବ । ଏମିତି ସେ ବିନା ମାପ ନେଇ କେବଳ ଦୂରରୁ ଦେଖିଦେଇ ସୁନ୍ଦର କୋଟ୍ ତିଆରି କରିଦିଅନ୍ତି ।

ମଫସଲରୁ ଯାଇ ମାୟାନଗରୀରେ ନାଁ କମେଇବା, ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ । ମାତ୍ର ସଙ୍ଘର୍ଷ କରି, ନିଜ ପରିଶ୍ରମ ବଳରେ ସମସ୍ତଙ୍କ ପ୍ରିୟ ପାଲଟିଥିଲେ ସୁକଦେବ । ରାଜନେତାରୁ ଅଭିନେତା, ବିଗ ବିଙ୍କ ଠାରୁ ଓମ ପୁରୀ, ହ୍ରିତିକ୍ ରୋସନଙ୍କଠୁ ସାହାରୁଖ ଖାନ୍ । ଅଜୟ ଦେବଗନଙ୍କଠୁ ଅମିର ଖାନ୍ ଏବଂ ଏବେ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କର ମଧ୍ୟ କୋଟ୍ ବନେଇଛନ୍ତି ସୁକଦେବ । ହେଲେ ଏବେ କରୋନା ପାଇଁ ସୁକଦେବଙ୍କ ସବୁ ଖୁସି ମଉଳିଯାଇଛି, ସବୁ ସ୍ୱପ୍ନ ମାୟାନଗରୀରେ ଛନ୍ଦିହୋଇଯାଇଛି ।

କରୋନା କଟକଣା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ଥିବାରୁ ସୁକଦେବ ବେଉସା ବୁଡିଛି । କାରବାର ନହେବାରୁ ସେ ମୁମ୍ବାଇରୁ ନିଜ ଗାଁକୁ ଫେରି ଆସିଥିଲେ । ଆଉ ସେବେଠାରୁ ଗତ ୫ ମାସ ହେବ ବିନା କାମଧନ୍ଦାରେ ଘରେ ରହିଛନ୍ତି ସୁକ ଦେବ । ମୁମ୍ବାଇରେ ଭଲ ରୋଜଗାର ହେଉଥିବାରୁ ସେଠାରେ ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ରହୁଥିଲେ । ହେଲେ ଏବେ ସବୁ ସ୍ୱପ୍ନ ବୁଡିଯିବା ପରେ ଆଉ ବମ୍ବେ ଫେରିଯିବାକୁ ଇଚ୍ଛା ନାହିଁ । ତେଣୁ ଓଡିଆ ସିନେ ଜଗତରେ ଯଦି ସୁକଦେବଙ୍କ ଗୁଣ ଚିହ୍ନି ତାଙ୍କ କାରିଗରୀ ଦେଖି ବଡ ବଡ ହିରୋମାନେ ନିଜ ପାଇଁ କୋଟ୍ ସିଲେଇ କରାନ୍ତେ ତେବେ ଓଡିଶାର ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡନ୍ତାନି ।