କନକ ବ୍ୟୁରୋ : ସ୍ୱାଧୀନତାର ୭୦ ବର୍ଷରୁ ବି ଅଧିକ ସମୟର ଇତିହାସରେ ପ୍ରଥମଥର ଏକ ଅଦ୍ଭୁତ ଘଟଣା ଘଟିଛି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଥମଥର ପାଇଁ ଗୋଟିଏ ପ୍ରସଙ୍ଗରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ଅଦ୍ଭୁତ ଏଇଥିପାଇଁ ଯେ, ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ସବୁବେଳେ ଅଲଗା ଅଲଗା କ୍ୟାମ୍ପରେ ଭାଗ ଭାଗ ହୋଇଥିବା ଦେଖିବାକୁ ମିଳେ । ଅଲଗା ଅଲଗା ପରିବାରକୁ ନେଇ କଳାକାରଙ୍କ ଗୋଷ୍ଠୀ, ବଲିଉଡକୁ ସବୁବେଳେ ବିଭାଜନ କରିଆସିଛି । ସ୍ୱାଧୀନତାର ୭ ଦଶକ ଭିତରେ ଏମିତି କେବେ ବି ସୁଯୋଗ ଜୁଟିନାହିଁ ଯେତେବେଳେ, ଗୋଟିଏ ପ୍ରସଙ୍ଗରେ ବଲିଉଡ ଏକାଠି ହୋଇପାରିଛି । କିନ୍ତୁ ଏବେ ଏହା ସମ୍ଭବ ହୋଇଛି ।

Advertisment

ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମଥର ଏକାଠି ହୋଇଛି ପୁରା ବଲିଉଡ । ଗତ ୭ ଦଶକରେ ପ୍ରଥମଥର ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ୪ଟି ସବୁଠାରୁ ବଡ ଆସୋସିଏସନ ଏବଂ ୩୪ଟି ବଡ ପ୍ରଯୋଜନା ସଂସ୍ଥା ଏକାଠି ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି । ଏବଂ ଏହି ଆବେଦନରେ ଦୁଇଟି ଜାତୀୟ ଗଣମାଧ୍ୟମ ବିରୋଧରେ ଅଭିଯୋଗ କରାଯାଇଛି । କୁହାଯାଇଛି ଏହି ନ୍ୟୁଜ ଚ୍ୟାନେଲରେ ବଲିଉଡକୁ ନେଇ ହେଉଥିବା ରିପୋର୍ଟିଂ ଉପରେ ରୋକ ଲଗାଯାଉ । ଏବଂ ବଲିଉଡ କଳାକାରଙ୍କ ବିରୋଧରେ ବ୍ୟବହାର ହୋଇଥିବା ଆପତିଜନକ ଟିପ୍ପଣୀକୁ ପ୍ରତ୍ୟାହାର କରାଯାଉ । ଏବେ ନଜର ପକାନ୍ତୁ ବଲିଉଡର କେଉଁସବୁ ସଂଗଠନ ଏହି ନ୍ୟୁଜ ଚ୍ୟାନେଲ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ।

ଦି ଫିଲ୍ମ ଆଣ୍ଡ ଟେଲିଭିଜନ ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆ, ଦି ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ ଆସୋସିଏସନ, ଇଣ୍ଡିଆନ ଫିଲ୍ମ ଆଣ୍ଡ ଟିଭି ପ୍ରଡ୍ୟୁସର୍ସ କାଉନସିଲ, ସ୍କ୍ରିନ ରାଇଟର୍ସ ଆସୋସିଏସନ । ଏହାବାଦ ବଲିଉଡର ୩୪ଟି ନାମିଦାମି ପ୍ରଯୋଜନା ସଂସ୍ଥା ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଛନ୍ତି । ଏହି ଆବେଦନ ପତ୍ରରେ ଦୁଇଟି ଜାତୀୟ ନ୍ୟୁଜ ଚ୍ୟାନେଲ ଓ ୪ ନ୍ୟୁଜ ଆଙ୍କରଙ୍କୁ ଅଭିଯୁକ୍ତ ଦର୍ଶା ଯାଇଛି । ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ ଚ୍ୟାନେଲ ସହ ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ , ନଭିକା କୁମାର, ରାହୁଲ ଶିବଶଙ୍କର ଭଳି ଆଙ୍କରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।

କୋର୍ଟରେ ହୋଇଥିବା ଆବେଦନରେ ମିଡିଆରେ ହେଉଥିବା ରିପୋର୍ଟିଂ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇ ନାହିଁ । ହେଲେ ଏହି ୨ଟି ନ୍ୟୁଜ ଚ୍ୟାନେଲର ୪ ଜଣ ଆଙ୍କର ଖବର ପରିବେଷଣ କରିବା ସମୟରେ ଯେଭଳି ଆଇନର ଉଲ୍ଲଂଘନ ନକରନ୍ତି ସେନେଇ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ବଡକଥା ହେଉଛି ଏହି ମାମଲା ପାଇଁ ସମସ୍ତ ଫିଲ୍ମଷ୍ଟାର ଗୋଟିଏ ଲିଗାଲ ଏଜେନ୍ସିକୁ ନିଯୁକ୍ତ କରିଛନ୍ତି ।
ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ବ୍ୟବହାର କରାଯାଉଥିବା କିଛି ଶବ୍ଦ ଓ ବାକ୍ୟ ଉପରେ ମଧ୍ୟ ଆବେଦନରେ ଆପତି ପ୍ରକାଶ କରାଯାଇଛି । ଅର୍ଥାତ ଏସବୁ ଶବ୍ଦ ଓ ବାକ୍ୟ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେବାପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଛି ।
କେଉଁ ଶବ୍ଦ ଉପରେ ଆପତ୍ତି?
- ଡର୍ଟ ଅର୍ଥାତ ମଇଳା
- ଫିଲଥ ଅର୍ଥାତ ଅଳିଆ
- ସ୍କମ ଅର୍ଥାତ ମଳରୁ ଉଠୁଥିବା ଫେଣ
- ଡ୍ରଗିସ ଅର୍ଥାତ ନିଶାଡି
ଏହାବାଦ କେତେକ ବାକ୍ୟ ଉପରେ ମଧ୍ୟ ଆପତି କରାଯାଇଛି । ଏଗୁଡିକ ସେହି ବାକ୍ୟ, ଯାହା ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ବଡବଡ ଅଭିନେତା, ପ୍ରଡ୍ୟୁସର, ଡାଇରେକ୍ଟରଙ୍କୁ ପସନ୍ଦ ଆସୁନାହିଁ । ଯଦିଓ ଏକାଧିକ ଫିଲ୍ମରେ ସେମାନେ ଏହାଠାରୁ ଆହୁରି ଅଧିକ କୁତ୍ସିତ ଭାଷାର ପ୍ରୟୋଗ କରିଛନ୍ତି । ଏବଂ କେବେ ଆପତି ଉଠାଇ ନାହାନ୍ତି । ତଥାପି ଗଣମାଧ୍ୟମ ବଲିଉଡ ବିରୋଧରେ ବ୍ୟବହାର କରୁଥିବା ଏହି ବାକ୍ୟ ସେମାନଙ୍କୁ ପସନ୍ଦ ଆସୁନାହିଁ ।
କେଉଁ ବାକ୍ୟ ଉପରେ ଆପତ୍ତି?
- ବଲିଉଡରୁ ମଇଳା ସଫା କରିବାକୁ ପଡିବ
- ବଲିଉଡରୁ ଉଠୁଥିବା ଦୁର୍ଗନ୍ଧକୁ ଆରବର ସବୁ ସୁଗନ୍ଧ ମଧ୍ୟ ଦୂର କରିପାରିବ ନାହିଁ
- ଏହା ଦେଶର ସବୁଠାରୁ ଖରାପ ଇଣ୍ଡଷ୍ଟ୍ରି
- ଏବଂ ଏହି ଇଣ୍ଡଷ୍ଟ୍ରି ଏଲଏସଡି ଓ କୋକେନର ନିଶାରେ ବୁଡିଛି

ଏସବୁ ମାମଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ହେଉଥିବା ତଦନ୍ତ ଏବଂ ଏହାପରେ ସାମ୍ନାକୁ ଆସିଥିବା ବଲିଉଡ ଲିଙ୍କକୁ ନେଇ ଆରମ୍ଭ ହୋଇଛି । ଟିଭି ଚ୍ୟାନେଲରେ ବଲିଉଡ ବିରୋଧରେ ଏଭଳି ରିପୋର୍ଟଂ ସେହି ପ୍ରସଙ୍ଗରେ ଚାଲିଛି । ଯାହାକୁ ନେଇ କଡା ଆପତି କରିଛି ପୂରା ବଲିଉଡ ।