ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିଲା ସୁରକ୍ଷା । ମୁମ୍ବାଇରେ ଦିଆଯିବ ୱାଇ କାଟୋଗୋରୀ ସୁରକ୍ଷା : ଜଗିବେ  ୧୧ କମାଣ୍ଡୋ

386

କନକ ବ୍ୟୁରୋ :ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମିଳିଲା ୱାଇ କାଟାଗୋରୀ ସିକ୍ୟୁରିଟି । ଶିବସେନା ନେତା ସଂଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ କଥା କଟାକଟି ପରେ ତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେବେ କେନ୍ଦ୍ର ସରକାର । ବୁଧବାର ଦିନ କଙ୍ଗନା ମୁମ୍ବାଇ ଆସିବା ପରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଅପରପଟେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ମହାରାଷ୍ଟ୍ର ସରକାର ଟାର୍ଗେଟ କରୁଥିବା ଅଭିଯୋଗ ଆଣିଛନ୍ତି କଙ୍ଗନା ।

ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ସହ ତୁଳନା କରିବା ପରେ ଏହା ହେଉଛି  ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ନେତାଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧର କିଛି ଅଂଶ । ଏହାରି ଭିତରେ କଙ୍ଗନାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ମୁମ୍ବାଇରେ କଙ୍ଗନାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେବେ ସରକାର । ତାଙ୍କ ସୁରକ୍ଷାରେ ରହିବେ କମାଣ୍ଡୋ ଓ ଅନ୍ୟ ପୋଲିସ କର୍ମଚାରୀ । ସୂଚନା ଅନୁଯାୟୀ ଆସନ୍ତା ୯ ତାରିଖରେ କଙ୍ଗନା ମୁମ୍ବାଇ ଫେରିବା ପରେ ଗୃହ ମନ୍ତ୍ରାଳୟ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦେବ । ସେପଟେ କଙ୍ଗନାଙ୍କ ହିମାଚଳ ପ୍ରଦେଶ ସ୍ଥିତ ମନାଲି ବାସଭବନରେ ମଧ୍ୟ ସୁରକ୍ଷା ବଢାଯାଇଛି । ଅପରପକ୍ଷରେ କଙ୍ଗନାଙ୍କୁ କେନ୍ଦ୍ର ସରକାର ୱାଇ କାଟାଗୋରୀ ସୁରକ୍ଷା ଦେବାକୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

ମୁମ୍ବାଇ ପ୍ରସଙ୍ଗରେ ଶିବସେନା ନେତା ସଂଜୟ ରାଉତ ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ କଥା କଟାକଟି ହୋଇଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ଆରମ୍ଭରୁ ଖୋଲାଖୋଲି ନିଜର ମତ ରଖିଛନ୍ତି । ସେ ବଲିଉଡ ମାଫିଆ, ନେପୋଟିଜିମ୍ ଓ ଡ୍ରଗସ ପ୍ରସଙ୍ଗରେ ସୋସିଆଲ ମିଡିଆରେ ବାରମ୍ବାର ମତ ଦେଉଥିଲେ । ଏହି ପ୍ରସଙ୍ଗରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ କଥା କଟାକଟି ହୋଇଥିଲା । ସେପଟେ ବିଏମସି ଅଧିକାରୀ ତାଙ୍କୁ ହଇରାଣ କରୁଥିବା କଙ୍ଗନା ଅଭିଯୋଗ ଆଣିଛନ୍ତି । ସବୁ ନିୟମ ମାନି ତାଙ୍କ ଘର ନିର୍ମାଣ ହୋଇଥିବା ବେଳେ ବିଏମସି ଏହାକୁ ବେଆଇନ ଭାବେ ଭାଙ୍ଗିବାକୁ ମନବଳାଇଛି ବୋଲି କଙ୍ଗନା କହିଛନ୍ତି ।

 

ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା । ସେ ଟ୍ୱିଟରରେ ଲେଖିଛନ୍ତି ଏହାଏକ ପ୍ରମାଣ ଯେକୌଣସି ଫାସୀବାଦୀ ବର୍ତ୍ତମାନ କୌଣସି ଦେଶପ୍ରେମୀର ସ୍ୱରକୁ ଦବାଇ ପାରିବନାହିଁ । ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଦେଉଛି । ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ସେ ମୋତେ କିଛି ଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇଥାନ୍ତେ, କିନ୍ତୁ ସେ ଭାରତର ଗୋଟିଏ ଝିଅର କଥା ରଖିଛନ୍ତି, ଆମର ସ୍ୱାଭିମାନ ଏବଂ ଆତ୍ମସମ୍ମାନର ମର୍ଯ୍ୟାଦା ରକ୍ଷା କରିଛନ୍ତି । ଜୟ ହିନ୍ଦ ।