କନକ ବ୍ୟୁରୋ: ୮୦ ଦଶକରେ ବଲିଉଡର ସଫଲ ଅଭିନେତ୍ରୀ ଜୟାପ୍ରଦା କହିଲେ ନିଜ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ । ଭୁବନେଶ୍ୱରରେ ଆୟୋଜିତ କନକ ନ୍ୟୁଜର ୱମେନ କନକ୍ଲେଭ ଅନନ୍ୟା-୨୦୨୩ରେ ସାମିଲ ହୋଇଥିଲା ଜୟାପ୍ରଦା । ଘର ଲୋକେ ତାଙ୍କ ନାଁ ରଖିଥିଲେ ଲଳିତା ରାଣୀ । କିନ୍ତୁ ୧୩ ବର୍ଷ ବୟସରେ ସେ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ସେ ଫିଲ୍ମରେ ଅଭିନିୟ ପାଇଁ ସୁଯୋଗ ପାଇଥିଲେ । ତାଙ୍କ ନାଁ ଜୟାପ୍ରଦା ଦେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଏହି ଅଭିନେତ୍ରୀ ।

Advertisment

ଜୟାପ୍ରଦା କହିଛନ୍ତି, ସମସ୍ୟା ସମସ୍ତଙ୍କ ଜୀବନରେ ରହିଛି । କିନ୍ତୁ ତାକୁ ପ୍ରତିହତ କରି ଜୀବନରେ ଆଗକୁ ବଢିବାକୁ ପଡିବ । ଜୟାପ୍ରଦା ନାଁ ହିଁ ତାଙ୍କର ପରିଚୟ ଓ ଏହି ନାଁ ହିଁ ଚାରିଆଡେ ପ୍ରସିଦ୍ଧି ଆଣିଦେଇଛି ବୋଲି କହିଛନ୍ତି ଏହି ଅଭିନେତ୍ରୀ । ଲତା ମଙ୍ଗେସକର ଓ ଶ୍ରୀଦେବୀଙ୍କୁ ମନେ ପକାଇ ସେ ଭାବବିହ୍ୱଳ ହୋଇଥିଲେ ।

୭୦ ଓ ୮୦ ଦଶକର ହିଟ ଅଭିନେତ୍ରୀ ଜୟାପ୍ରଦା ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ସେ ଦଳ ପାଇଁ ପ୍ରଚାର ବି କରିଛନ୍ତି । ମୋଦିଙ୍କୁ ପ୍ରଂଶସା କରି ଜୟା କହିଛନ୍ତି, ବର୍ତମାନ ଦେଶକୁ ନରେନ୍ଦ୍ର ମୋଦି ହିଁ ବଂଚାଇପାରିବେ । ମୋଦିଙ୍କୁ ବଦନାମ କରିବା ଉଚିତ ନୁହେଁ ।

ଅନନ୍ୟା-୨୦୨୩ରେ ମହିଳାମାନଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟେ ଆଲୋଚନାରେ ଭାଗ ନେଇଥିଲେ ଅଭିନୟ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ । ବିବାହ ପରର ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଝିଲିକ ଭଟ୍ଟାଚାର୍ଯ୍ୟ । ସେହିପରି ଗୃହିଣୀଙ୍କୁ ଦରମା ମିଳିବା ଉଚିତ କି, ସେ ନେଇ ଚର୍ଚ୍ଚାରେ ଭାଗ ନେଇଥିଲେ ଅଭିନୟ ଜଗତ ଛାଡି ସଂସାର ସଜାଡୁଥିବା ମାମା ମିଶ୍ରଙ୍କ ସହ ସମାଜସେବୀ ସରିତା ବଡପଣ୍ଡା ଓ ଅନୁରାଧା ମହାନ୍ତି ।