କରୋନା ସମୟରେ ପୁଣି ଚାଷୀଙ୍କୁ ସାହା ହେଲେ ବଲିଉଡ୍ ଅଭିନେତା ସୋନୁ ସୁଦ : ଦୁଇ ଝିଅଙ୍କ ହଳ କରୁଥିବା ଭାଇରାଲ ଭିଡିଓ ଦେଖିବା ପରେ ଚାଷୀ ପରିବାରକୁ ଉପହାର ଦେଲେ ନୂଆ ଟ୍ରାକ୍ଟର 

ଗରିବ ନାଗେଶ୍ୱରଙ୍କ ପରିବାର ମୁହଁରେ ଫୁଟାଇଲେ ହସ

609

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଆନ୍ଧ୍ରପ୍ରଦେଶର ଜଣେ ଗରିବ ଚାଷୀ ପରିବାରକୁ ସୋନୁ ସୁଦ ବଢାଇଛନ୍ତି ସହାୟତାର ହାତ । ସହାୟତା ଏପରି କରିଛନ୍ତି ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଅର୍ଥ ଅଭାବ କାରଣରୁ ନାଗେଶ୍ୱର ହଳ କିଣି ପାରୁନଥିଲେ । ତେଣୁ ତାଙ୍କର ଦୁଇ ଝିଅଙ୍କୁ ବ୍ୟବହାର କରି ସେ ହଳ କରି ଚାଷ କାମ କରି ଆସୁଥିଲେ । ଗରିବ ଚାଷୀ ପରିବାରର ଏପରି ଏକ ଭିଡିଓ ଦେଖିବା ପରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ହୃଦୟ ତରଳି ଯାଇଥିଲା । ସୋନୁ ସୁଦଙ୍କ ନଜରକୁ ଏହି ଭିଡିଓ ଆସିବା ମାତ୍ରେ, ସୋନୁ ସୁଦ୍ ଏହି ଶ୍ରମିକଙ୍କ ଠିକଣା ବୁଝିଥିଲେ । ଜଣା ପଡିଥିଲା ଏହି ଶ୍ରମିକ ହେଉଛନ୍ତି ନାଗେଶ୍ୱର ରାଓ, ଘର ଆନ୍ଧ୍ର ପ୍ରଦେଶର ଚିତୁରରେ । ଏହା ପରେ ସୋନୁ ଏହି ଗରିବ ଅଭାବୀ ଶ୍ରମିକଙ୍କ ପରିବାରକୁ ଏକ ନୂଆ ଟ୍ରାକ୍ଟର ଉପହାର ଆକାରରେ ପଠାଇ ଦେଇଛନ୍ତି ।

ନାଗେଶ୍ୱରଙ୍କ ପରିବାର ଏବେ ଏହି ନୂଆ ଟ୍ରାକ୍ଟର ପାଇବା ପରେ ନିଜ ଆଖିକୁ ବି ବିଶ୍ୱାସ ବି କରିପାରୁନାହାନ୍ତି । ଏବେ ଚାଷ କାମ ସହଜ ହୋଇଯିବ । ମଣିଷ ନୁହଁ ଜମିରେ ହଳ କରିବ ଟ୍ରାକ୍ଟର । ଏକଥା ଭାବିବା ବେଳକୁ ନାଗେଶ୍ୱରଙ୍କ ପରିବାର ଖୁସିରେ ଏବେ ଆତ୍ମହରା । ସାରା ଦେଶ କରୋନା ସହ ଲଢୁଥିବା ବେଳେ ସୋନୁ ସୁଦଙ୍କ ଏପରି ବଦାନ୍ୟତା ପାଇଁ ନାଗେଶ୍ୱରଙ୍କ ପରିବାର ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।