ମହାନଦୀ ପୋଲ ଉପରେ ମାଡିବସିଲା ମୃତ୍ୟୁ । ଶବ ପାଲଟିଲେ ବରଯାତ୍ରୀ । ୫ ଜଣଙ୍କ ମୃତ୍ୟୁ ପରେ ଗାଁରେ ଏକାଠି ଜଳିଲା ଜୁଇ…

857

କନକ ବ୍ୟୁରୋ: ବରଯାତ୍ରୀ ହୋଇ ଯାଇଥିଲେ ଶବ ହୋଇ ଫେରିଲେ । ମଝି ରାସ୍ତାରେ ଲିଭିଗଲା ବାହାଘରର ସବୁ ଖୁସି । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ ସମସ୍ତେ । ମାତ୍ର ୫ କିଲୋମିଟର ଦୂରରେ ଥିଲା ଘର । ହେଲେ ବିଧିର ବିଧାନ ଥିଲା ଅଲଗା । କନିଆଁ ଘରୁ ଭୋଜି ଖାଇ ଫେରିବା ବେଳେ ମହାନଦୀ ଉପରେ ମାଡି ବସିଲା ମୃତ୍ୟୁ । ଘରେ ପହଞ୍ଚିବା ପୂର୍ବରୁ ମଶାଣୀରେ ପହଁଞ୍ଚିଛି ସେମାନଙ୍କ ଶବ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୫ ଜଣ ଗୁରୁତର ହୋଇଛନ୍ତି ।

ତେବେ ଶୁକ୍ରବାର ରାତିରେ ସୋନପୁର ଉଲୁଣ୍ଡା ବ୍ଲକ ନିମ୍ନା ଗାଁର ପ୍ରଦୀପ ପାଣ୍ଡିଆଙ୍କ ପୁଅ ମନିଷ ପାଣ୍ଡିଆଙ୍କ ବାହାଘର ଥିଲା । କୌଡିଆମୁଣ୍ଡା ଗାଁକୁ ଯାଇଥିଲେ ବରଯାତ୍ରୀ । ଭୋଜି ଖାଇ ବରର ୧୦ ଜଣ ସଂପର୍କୀୟ ବୋଲେରୋରେ ଖୁସିମନରେ ଘରକୁ ଫେରୁଥିଲେ । ଆଉ ୫ କିଲୋମିଟର ପରେ ଘରେ ପହଁଚିଥାନ୍ତେ, କିନ୍ତୁ ବିଧିର ବିଧାନ ଥିଲା ଅଲଗା । ବରର ବଡ଼ ବାପା, ଭଉଣୀଙ୍କ ସହ ୫ ଜଣ ପ୍ରାଣ ହରାଇଛନ୍ତି । ସୁବର୍ଣ୍ଣପୁର ସହର ମହାନଦୀ ପୋଲ ମଝିରେ ବୋଲେରୋ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି ।

ତେବେ ବାହାଘର ପାଇଁ ଖୁସିଥିଲେ ସମସ୍ତେ, ଭୋଜିଭାତରେ ଗାଁ ଦାଣ୍ଡ କମ୍ପି ଉଠିଥାନ୍ତା, ହେଲେ ଗାଁରେ ପଡିଛି କାନ୍ଦ ବୋବାଳି । ପୂରା ଗାଁ ଶୋକରେ ଅଧିର ହୋଇ ଉଠିଛି । ଗାଁ ଦାଣ୍ଡରୁ ମଶାଣୀ ଯାଏଁ ଲୋକଙ୍କ ଭିଡ଼ ଜମିଛି । ସଂପର୍କୀୟମାନେ କୋହ ସମ୍ଭାଳି ପାରୁନାହାନ୍ତି । ବରଯାତ୍ରୀ ହୋଇ ଯାଇଥିଲେ, ହେଲେ ଫେରିଲା ସେମାନଙ୍କ ମୃତଦେହ । ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ବାହାଘର ଉତ୍ସବରେ ହସଖୁସିରେ ଫାଟି ପଡ଼ୁଥାନ୍ତା ଘର, ହେଲେ ଗାଁ ମଶାଣିରେ ଏକାଠି ଜଳିଲା ଜୁଇ ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦେଲେ ଗ୍ରାମବାସୀ ।