ୟୁପିର ଅନୁମତି ଓ ଉତ୍ତରାଖଣ୍ଡର ବାରଣ ଭିତରେ ବୋଲବମ୍ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ । ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ, ଶୁକ୍ରବାର ପରବର୍ତ୍ତୀ ଶୁଣାଣି ।

103

କନକ ବ୍ୟୁରୋ: ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ , ଏହି ପ୍ରସଙ୍ଗରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆର ଏଫ ନରିମନ୍ ଓ ଜଷ୍ଟିସ ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବା ପାଇଁ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଆଧାରରେ କୋର୍ଟ ଏହି ନୋଟିସ କରିବା ସହ ଆଗାମୀ ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

କୋର୍ଟ କହିଛନ୍ତି, ଦେଶରୁ କରୋନା ସଂକ୍ରମଣ କମିନାହିଁ । ସମ୍ଭାବ୍ୟ ତୃତୀୟ ଲହରକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଭିଡ ନକରିବାକୁ ପରାମର୍ଶ ଦେଉଛନ୍ତି । ତେଣୁ କାଉଡିଆଙ୍କ ବୋଲବମ ଯାତ୍ରାକୁ ଅନୁମତି ଦେବା କିମ୍ବା କଟକଣା ଲଗାଇବା ପଛରେ ସଂପୃକ୍ତ ସରକାରଙ୍କ ମତ କଣ, ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭାରତୀୟ ଡାକ୍ତର ସଂଘର ଚିଠି ପରେ ବୋଲବମ୍ ଯାତ୍ରାକୁ ବାରଣ କରିଛନ୍ତି ଉତ୍ତରାଖଣ୍ଡ ସରକାର । ହେଲେ ଆଗାମୀ ସପ୍ତାହରୁ ରାଜ୍ୟରେ ବୋଲବମ୍ ଯାତ୍ରାକୁ ଅମୁମତି ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର ।ଓଡିଶାରେ ମଧ୍ୟ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ହେଲେ ଅନ୍ୟ ରାଜ୍ୟରେ ବୋଲବମ ଯାତ୍ରା ହେବ କି ନାହିଁ ସେନେଇ ମାମଲା ସୁପ୍ରିମକୋର୍ଟରେ ।