ଲକ୍ଷ୍ନୌ ପିଚର ଓଡିଶା କନେକ୍ସନ! ଯେତେ ଷ୍ଟାର ବ୍ୟାଟ୍ସମ୍ୟାନ ଥିଲେ ମଧ୍ୟ ୧୩୦ ରନ କରିବା ହୋଇଯିବ ମୁସ୍କିଲ

ଦ୍ୱିତୀୟ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ସିରିଜକୁ ଫେରିବାକୁ ୱେଷ୍ଟଇଣ୍ଡିଜର କସରତ

229

ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ଲକ୍ଷ୍ନୌ ଶ୍ରୀ ଅଟଳ ବିହାରୀ ବାଜପେୟୀ ଅର୍ନ୍ତଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି । ସାଧାରଣତଃ ଟି-୨୦ ମ୍ୟାଚ୍ ଗୁଡିକରେ ହାଇସ୍କୋର ଦେଖିବାକୁ ମିଳିଥାଏ । ପଡିଆରେ ଛକା ଓ ଚୌକାର ବର୍ଷା ହୋଇଥାଏ । କିନ୍ତୁ ୨୪ ବର୍ଷର ଲମ୍ବା ଅପେକ୍ଷା ପରେ ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚରେ ବ୍ୟାଟିଂ ନୁହେଁ ବରଂ ବୋଲିଂ କମାଲ ଦେଖିବାକୁ ମିଳିପାରେ । ଏପରିକି ବଡ ସଟ୍ ଖେଳିବାକୁ ବ୍ୟାଟସମ୍ୟାନଙ୍କୁ ସଂର୍ଘଷ କରିବାକୁ ପଡିବ ବୋଲି କ୍ୟୁରେଟର କହିଛନ୍ତି । ଯଦି ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୩୦ରୁ ଅଧିକ ସ୍କୋର କରିଦିଏ ତେବେ ବେଶ ସହଜରେ ଏହାକୁ ଡିଫେଣ୍ଡ କରିପାରିବ ବୋଲି ପିଚ୍ କ୍ୟୁରେଟର କହିଛନ୍ତି ।

ମୋଟାମୋଟି ଭାବେ କହିବାକୁ ଗଲେ ଲକ୍ଷ୍ନୌରେ ଏକ ଲୋ ସ୍କୋରିଂ ମ୍ୟାଚ ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ବୋଲର ମାନେ ନିଜ ବୋଲିଂ ମାଧ୍ୟମରେ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବେ । ପିଚର ଦୁଇ ପାଶ୍ୱର୍ରେ ଶୁଖିଲା ଘାସ ଥିବା ବେଳେ ଏହା ମଧ୍ୟରେ ଫାଟ ମଧ୍ୟ ରହିଛି । ତେଣୁ ସ୍ପିନର ମାନେ ଦଳ ପାଇଁ ଟ୍ରମ୍ପକାର୍ଡ ସାଜିପାରନ୍ତି । କାରଣ ଏହି ପିଚ ନିର୍ମାଣରେ ଓଡିଶାର ବଲାଙ୍ଗୀରର ମାଟି ବ୍ୟବହାର କରାଯାଇଛି । ବଲାଙ୍ଗୀର ମାଟିରେ ସାଧାରଣତଃ ବଲ ବେଶି ବାଉନ୍ସ ହୋଇନଥାଏ । ତେଣୁ ଲକ୍ଷ୍ନୌ ପିଚରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ । ବାଉଣ୍ଡରୀରେ ସ୍କୋର କରିବା ପାଇଁ ଦୁଇ ଟିମକୁ କଠିନ ପରିଶ୍ରମ କରିବାକୁ ପଡିବ ।

ପିଚ୍ ପ୍ରସ୍ତୁତ କରୁଥିବା ବିସିସିଆଇର ମୁଖ୍ୟ କ୍ୟୁରେଟର ଦଲଜିତ୍ ସିଂଙ୍କ କହିବା ଅନୁଯାୟୀ, ଯଦି ଏହି ପିଚରେ ସ୍ଥାନୀୟ ଅଞ୍ଚଳର ମାଟି ବ୍ୟବହାର କରାଯାଇଥାନ୍ତା ତେବେ ଏଠାରେ ବଡ ସ୍କୋର ଦେଖିବାକୁ ମିଳିଥାନ୍ତା । ଏପରିକି କାକର ପାଇଁ ମଧ୍ୟ ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାନ୍ତା । ସ୍ଥାନୀୟ କ୍ୟୁରେଟରଙ୍କ କହିବା ଅନୁଯାୟୀ, ପଡିଆର ଆଉଟଫିଲ୍ଡ ବହୁତ ଭଲ ଥିବା ବେଳେ କାକର ମଧ୍ୟ ବଡ ଭୂମିକା ଗ୍ରହଣ କରିବ । ଏବେ ଉତ୍ତର ଭାରତରେ ଥଣ୍ଡା ପଡିବା ଆରମ୍ଭ ହେଉଥିବାରୁ ପ୍ରଥମ ଓଭରରୁ କାକରର ପ୍ରଭାବ ଦେଖିବାକୁ ମିଳିବ ।

ଲୋ ସ୍କୋରିଂ ମ୍ୟାଚ ହେବାକୁ ଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିବା ସହ ସିରିଜ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଟିମ୍ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଆଜି ମ୍ୟାଚରେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା ।