ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ଅଭିଯାନ: ପାଇଖାନା ନିର୍ମାଣ ହେଉଛି ହେଲେ କୌଣସି ଗୋଟିଏ ବି ବ୍ୟବହାର ଉପଯୋଗୀ ନୁହେଁ; ନିମ୍ନମାନର କାମ ଯୋଗୁଁ ଚୂଲିକୁ ଗଲାଣି ବାହ୍ୟ ମଳମୁକ୍ତ ଗାଁ ସ୍ୱପ୍ନ

ବଲାଙ୍ଗୀର ଖପ୍ରାଖୋଲରୁ ଆସିଲା ପାଇଖାନା ଦୁର୍ନୀତିର ବଡ ଘୋଟାଲା

274

କନକ ବ୍ୟୁରୋ: ସରକାରଙ୍କ ଟାର୍ଗେଟ ପୂରଣ ହେଉଛି । ହିତାଧିକାରୀଙ୍କୁ ପାଇଖାନା ଯୋଗାଇ ଦିଆଯାଉଛି । ଠିକାଦାରଙ୍କୁ ଲଗାଇ ପାଇଖାନା ତିଆରି କରାଇଛି ଜିଲ୍ଲା ପ୍ରଶାସନ । ହେଲେ ଗୋଟିଏ ବି ପାଇଖାନା ଲୋକଙ୍କ ବ୍ୟବହାରରେ ଆସୁନି । କାରଣ କେଉଁଠି ପାଇଖାନା ପାଇଁ ଟାଙ୍କି ନାହିଁ ତ ପୁଣି ହେବା ଦିନଠୁ ଭାଙ୍ଗିକି ପଡିଛି । କିନ୍ତୁ ଠିକାଦାର ବିଲ୍ କରି ଟଙ୍କା ଉଠାଇ ସାରିଛନ୍ତି । ଆଉ ବିଭାଗୀୟ ଅଧିକାରୀଙ୍କ ସେମାନଙ୍କ ଭାଗ ବି ଦେଇସାରିଛି । ବଲାଙ୍ଗୀର ଖପ୍ରାଖୋଲରୁ ଆସିଲା ପାଇଖାନ ଦୁର୍ନୀତିର ବଡ ଘୋଟାଲା ।

କେହି ଶୌଚ ପାଇଁ ବାହାରକୁ ଯିବେ ନାହିଁ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ଘରେ ଘରେ ପାଇଖାନା ତିଆରି କରାଯିବ । ଏଥିପାଇଁ କେନ୍ଦ୍ରରୁ ଅନୁଦାନ ଆସିବା ପରେ ଠିକାଦାରଙ୍କୁ ଲଗାଇ ବଲାଙ୍ଗୀର ଖପ୍ରାଖୋଲରେ ପାଇଖାନା ତିଆରି କରାଇଛନ୍ତି ବିଭାଗୀୟ ଅଧିକାରୀ । ହେଲେ, ପାଇଖାନା ନିର୍ମାଣ ଏତେ ନିମ୍ନମାନର ହୋଇଛି ଯେ, ଲୋକଙ୍କ ବ୍ୟବହାରରେ ଆସୁନି । କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭାଗ ବଂଟା ସରିଛି ।

ଆଉ ଏହି ଦୁର୍ନୀତିରେ ଠିକାଦାରଙ୍କୁ ଆଳ କରି ସରକାରୀ ବାବୁ ଅର୍ଥ ହରିଲୁଟ କରିଛନ୍ତି । ଖପ୍ରାଖୋଲ ଆରଡବ୍ଲ୍ୟୁଏସଏସ୍ ବିଭାଗର ଯନ୍ତ୍ରୀଙ୍କ କହିବା ଅନୁସାରେ ଏଥିରେ ସେ ଏକା ଭାଗିଦାର ନୁହନ୍ତି, ଏସବୁ କଥା ଖପ୍ରାଖୋଲ ବିଡିଓଙ୍କୁ ବି ଜଣା । ସେପଟେ, ଗୋଟିଏ ପାଇଖାନା କରିବା ପାଇଁ ସରକାର ୧୨ ହଜାର ଟଙ୍କା ଦେଉଛନ୍ତି । ଆଉ ଠିକାଦାର ୮ ହଜାର ଟଙ୍କାରେ କାମ କରି ବାକି ୪ ହଜାର ନିକ ପକେଟରେ ପୁରାଉଛି । ହିତାଧିକାରୀଙ୍କ ଟଙ୍କାକୁ ମାରି ଖାଉଥିବା ଠିକାଦାର ଠାରୁ ଭାଗ ନେଉଛନ୍ତି ବିଭାଗୀୟ ଅଧିକାରୀ ।

ତେବେ ଗୋଟିଏ ପଟେ ଦେଶରେ ବାହ୍ୟମଳମୁକ୍ତ ଗାଁ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି । ହେଲେ ଅନ୍ୟ ପଟେ ଢୋଲ ଭିତର ମୁଷା ଭଳି ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତି ଯୋଗୁଁ ଯୋଜନା ସଫଳ ହେଉନାହିଁ କି ହିତାଧିକାରୀ ସୁଫଳ ପାଉନାହାନ୍ତି ।