କଥା ମାନୁନି କଣ୍ଟାବାଞ୍ଝି ଶ୍ୟାମଜୀ ରାଇସ ମିଲ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ବେଖାତିର, ବନ୍ଦ ପାଇଁ ନୋଟିସ ପରେ ବି ପଦକ୍ଷେପ ନେଉନି ଜିଲ୍ଲା ପ୍ରଶାସନ ।
କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ସର୍ବଦା ରାଇସ ମିଲମାନେ ବିଭିନ୍ନ ନିୟମ ଭାଙ୍ଗି ଚର୍ଚାରେ ରହିଥାନ୍ତି । ଏବେ କଣ୍ଟାବାଞ୍ଝିରେ ଥିବା ଶ୍ରୀ ଶ୍ୟାମଜୀ ରାଇସ ମିଲ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ମିଲକୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ପରେ ମିଲକୁ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୂଷଣ ନୀୟନ୍ତ୍ରଣ ବୋର୍ଡ । କିନ୍ତୁ ଏଯାଏଁ ଜିଲ୍ଲା ପ୍ରଶାସନର ଚେତା ପଶୁନାହିଁ କି ମିଲର୍ସ ପ୍ରୀତି ଯାଉନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ବଲାଙ୍ଗୀରରେ ମିଲର୍ସ ଓ ଯୋଗାଣ ବିଭାଗ ମିଶି କିଭଳି ମିଲିଂ ଓ ବିଲିଂରେ ସରକାରୀ ତହବିଲରୁ ହରିଲୁଟ କରିଥିଲେ ସେ ବାବଦରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ସେହିଭଳି ତିନି ବର୍ଷ ତଳେ ଚାଉଳର ଯୋଗାଣରେ ଅନିୟମିତତା ଅଭିଯୋଗ ପରେ ବନ୍ଦ ହୋଇଥିଲା କଣ୍ଟାବାଞ୍ଝିର ଶ୍ୟାମଜୀ ରାଇସ ମିଲ । ପରବର୍ତୀ ସମୟରେ ମିଲ ଖୋଲିଛି । କିନ୍ତୁ ଏହି ମିଲର ମନମାନି ସରୁନି । ପରିବେଶ ପ୍ରଦୂଷଣ ବୋର୍ଡର ନିୟମ ଉଲ୍ଲଂଘନ ଅଭିଯୋଗରେ ପୁଣି ଶ୍ୟାମଜୀ ରାଇସ ମିଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ ରହିଛି ।
୮ ଟନ୍ କ୍ଷମତା ବିଶିଷ୍ଟ ଶ୍ୟାମଜୀ ରାଇସ ମିଲରୁ ବାହାରୁ ଥିବା ଦୂଷିତ ଜଳ ଓ ଧୂଆଁ, କଳା ଗୁଣ୍ଡ ଲୋକଙ୍କ ପାଇଁ ହାନିକାରକ । ମିଲ ପକ୍ଷରୁ ସେଗୁଡିକୁ ବିଶୋଧନ ନକରି ସିଧାସଳଖ ଚାଷ ଜମିରେ ଛାଡି ଦିଆଯାଉଛି । ଫଳରେ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ଏହି ମିଲକୁ ବନ୍ଦ କରିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିବା ପାଇଁ ନୋଟିସ ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏହାରି ଭିତରେ ନୋଟିସ୍ ଆସିବାର ୧୦ ଦିନ ବିତିଲାଣି, କିନ୍ତୁ ମିଲରେ ହାତ ମାରି ପାରିନାହିଁ ଜିଲ୍ଲା ପ୍ରଶାସନ କି ବିଦ୍ୟୁତ ବିଭାଗ । ବିନା କଟକଣାରେ ବେଧଡକ ଭାବେ ଚାଲିଛି ମିଲ ।
ପ୍ରଦୂଷଣ ନିୟମକୁ ଉଲ୍ଲଂଘନ କରିବା ସହ ଲୋକଙ୍କ ପାଇଁ ବିପଦ ପାଲଟିଥିବା ଏହି ମିଲକୁ କାହିଁକି ବନ୍ଦ କରୁନି ଜିଲ୍ଲା ପ୍ରଶାସନ? ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ ପରେ କାହିଁକି ଏତେ ମିଲ ପ୍ରୀତି? କ’ଣ ପାଇଁ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ଜିଲ୍ଲା ପ୍ରଶାସନ? ପ୍ରଶାସନ ସ୍ଥାଣୁତାକୁ ନେଇ ବଲାଙ୍ଗୀରବାସୀଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଠିଛି ।