କନକ ବ୍ୟୁରୋ : ବର୍ଷ ବର୍ଷ ଧର ସଞ୍ଚୟ କର ତିଆରି କରିଥିଲେ । ଏବେ ଆଖି ଆଗରେ ଭାଙ୍ଗୁଛି ଘର । କାରଣ ବେଆଇନ ଭାବେ ନିଶା ବ୍ୟବସାୟ କରି ଏହି ଘର ନିର୍ମାଣ କରିଥିଲେ । ଗଞ୍ଜେଇ ମାଫିଆଙ୍କ ପାଇଁ କଡ଼ା ପଦକ୍ଷେପ ନେଇ ସାରା ଓଡ଼ିଶା ପ୍ରତି ଏକ ବାର୍ତ୍ତା ଦେଇଛି ବଲାଙ୍ଗୀର ପୁଲିସ । କଳା ଧନ ଆସେ ବହୁତ ଯାଏ ଯେବେ ମୂଳ ସହିତ ତାର ଉଦାହରଣ ଘନଶ୍ୟାମଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସବୁଠଉ ବଡ଼ କଥା ହେଉଛି ଏହି ସ୍ଥାନ ସରକାରଙ୍କର । କିନ୍ତୁ ଗଞ୍ଜେଇ ମାଫିଆମାନେ ଏହି ସ୍ଥାନକୁ କବଜ କରି ଏଠାରେ ବିଳାସପୂର୍ଣ୍ଣ ଘର ନିର୍ମାଣ କରିଛନ୍ତି । ସେହି ଘର ବେଆଇନ ନିଶା କାରବାର ସହ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଅଭିଯୋଗ ହେଉଛି । ପ୍ରାୟ କୋଟିଏ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଘରକୁ ମାଟି ମିଶାଇ ଦେଇଛି ପ୍ରଶାସନ ।

Advertisment

ସୂଚନା ଅନୁସାରେ, ଗତ ଜୁନ୍‌ ମାସ ୩ ତାରିଖ ରାତିରେ ଟିଟିଲାଗଡ଼, ବଙ୍ଗୋମୁଣ୍ତା ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଚଢ଼ଉ କରି ଫପସୀ ଗ୍ରାମରୁ ୬ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଘନଶ୍ୟାମ ଜେନାର ଘରୁ ଜବତ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଘନଶ୍ୟାମର ବାପା ସନ୍ତୋଷ ଜେନା ବଡ଼ମାଳ ଗୋଳାବାରୁଦ କାରଖାନା ନିର୍ମାଣ ହେବା ପରେ ବ୍ରହ୍ମପୁର ଅଞ୍ଚଳରୁ ଚାଲିଆସି କାରଖାନାର ଗେଟ୍‌ ନିକଟରେ ସରକାରୀ ଜମିକୁ କବ୍‌ଜା କରି ଘର ନିର୍ମାଣ କରିବା ସହ ସେଠାରେ କବାଡ଼ିଖାନା କରି ପରିବାର ପ୍ରତିପୋଷଣ କରୁଥିଲା । ଗତ ୫ ବର୍ଷ ହେଲା ଘନଶ୍ୟାମ ଉକ୍ତ ଜାଗାରେ ବ୍ୟାପକ ଗଞ୍ଜେଇ କାରବାର କରୁଥିଲା ।

ସେହିଭଳି ସରକାରୀ ଜମି ଉପରେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ଏକ ବିରାଟ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲା । ସରକାରୀ ଜମିରେ ଘର ନିର୍ମାଣ କରି ବେଆଇନ ଗଞ୍ଜେଇ ତଥା ନିଶା ବେପାର କରୁଥିବା ଯୋଗୁଁ ପ୍ରଶାସନ ତରଫରୁ ଘର ଭାଙ୍ଗିବା ପାଇଁ ନିର୍ଦେଶ ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ଗତ ୧୧.୭.୨୦୨୩ ତାରିଖ ଦିନ ସଂପୃକ୍ତ ଘରକୁ ମାସେ ମଧ୍ୟରେ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା ।