ଚାଷୀ ମାରଣନୀତିର ବୁଢ଼ିଆଣି ଜାଲ । କିଣା ହେବା ପୂର୍ବରୁ ମିଲ୍ସରେ ଜମା ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ, ପ୍ରଶାସନ ଓ ମୁନାଫାଖୋର ମିଲରଙ୍କମଧୁଚନ୍ଦ୍ରିକାରେ ଦୁର୍ନୀତି ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା !

344

କନକ ବ୍ୟୁରୋ : ଧାନ କିଣା ହେବା ପୂର୍ବରୁ ରାଇସ ମିଲରେ ହଜାର ହଜାର କ୍ୱିଂଟାଲ ଧାନ । ଏମିତି କିଛି ଦୃଶ୍ୟ ସାମନାକୁ ଆସିଛି ବଲାଙ୍ଗିରର ତୁଷୁରାରେ ଥିବା କେଡିଆ ରାଇସ ମିଲରେ । କନକ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି, ଏସବୁ ଧାନ ଆସିଛି ବାହାର ରାଜ୍ୟରୁ । ଛୋଟ ଧାନକୁ କମ୍ ଦାମରେ କିଣି ମିଲରେ ରଖାଯାଇଛି । ଆଉ ଏପରି ଧାନ କିଣିବା ପଛର ଉଦ୍ଦେଶ୍ୟ ହେଲା, ଏହି ସବୁ ଧାନକୁ ସରକାରୀ ମୂଲ୍ୟରେ କିଣାଯାଇଥିବା ଦର୍ଶାଇ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ।

ଚାଷୀ ମାରଣାନୀତିର ବୁଢ଼ିଆଣି ଜାଲ ? ଦୁର୍ନୀତି ପାଇଁ ପ୍ରସ୍ତୁତ ହେଉଛି ଖସଡ଼ା ! ଧାନ କିଣା ହେବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ରାଇସ୍ ମିଲ୍ ଗୁଡ଼ିକ ଧାନ ରଖିବା ପାଇଁ କେତେ ପ୍ରସ୍ତୁତ, ତାହା ଜାଣିବା ପାଇଁ ଆମେ ଯେତେବେଳେ ତୁଷୁରାରେ ଥିବା କେଡିଆ ରାଇସ ମିଲରେ ପହଞ୍ଚିଥିଲୁ, ସାମ୍ନାକୁ ଆସିଥିଲା ଏଭଳି ଏକ ଚିତ୍ର ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଧାନ କିଣା ହେବା ପୂର୍ବରୁ ହଜାର ହଜାର କ୍ୱିଂଟାଲ ଧାନରେ ଭର୍ତି ହୋଇ ରହିଥିଲା ମିଲ୍ ।

କୁଆଡୁ ଆସିଲା ଏତେ ପରିମାଣର ଧାନ ? ଧାନ ବିକ୍ରି ହେବା ପୂର୍ବରୁ ଆସିଲା କେମିତି ? ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି, ବୁଝୁ-ବୁଝୁ ଜଣାପଡିଲା, ପଡ଼ୋଶୀ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଆସୁଛି ରାଇସ୍ ମିଲକୁ ଧାନ । ଏମିତି କି କିଛି ଧାନ ସ୍ଥାନୀୟ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଛି । ଛୋଟ ଧାନ, ଯାହା କମ୍ ଦିନରେ ହୋଇଯାଏ, ସେଭଳି ଧାନକୁ କମ୍ ଦାମରେ କିଣି ମିଲସରେ ଭର୍ତି କରାଯାଇଛି ।

ବଡ ପ୍ରଶ୍ନ ଉଠୁଛି, କାହିଁକି ଗଚ୍ଛିତ ରଖାଯାଉଛି ଧାନ ? କାହିଁକି ଚାଷୀଙ୍କଠାରୁ ସିଧା ଧାନ ଉଠାଉଛନ୍ତି ମିଲର୍ସ ? ଏହି ତମାମ ପ୍ରଶ୍ନର ସରଳ ଉତ୍ତର ହେଉଛି, ଏହି ସବୁ ଧାନକୁ ସରକାରୀ ମୂଲ୍ୟରେ କିଣାଯାଇଥିବା ଦର୍ଶାଇ ମୋଟା ଅଙ୍କର ଅର୍ଥ ରୋଜଗାର କରିବା ପାଇଁ ହୋଇଛି ଯୋଜନାବଦ୍ଧ ଖସଡ଼ା । ଚଳିତବର୍ଷ କ୍ୱିଂଟାଲ ପିଛା ୧୮୨୫ ଟଙ୍କା ଧାନର ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଅସାଧୁ ମିଲର୍ସମାନେ ଦଲାଲ୍ ଏବଂ ଚାଷୀଙ୍କଠାରୁ କ୍ୱିଂଟାଲ ପିଛା ୧୨ରୁ ୧୩ଶହ ଟଙ୍କାରେ ଆଗତୁରା ଧାନ କିଣି ଆଣି ମିଲସରେ ମହଜୁଦ୍ ରଖିଛନ୍ତି । ଆଉ ଯେତେବେଳେ ବିଧିବଦ୍ଧ ଭାବରେ ଧାନ କିଣା ହେବ, ସେତେବେଳେ ଏହି ସବୁ ଧାନର ତାଲିକା ଦେଖାଇ ମାଲେମାଲ୍ ହେବେ ମିଲର୍ସ । ବଡ଼ କଥା ହେଉଛି,ଏହି ପୁରା ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗଙ୍କ ହାତ ଥିବା ନେଇ ବି ଅଭିଯୋଗ ହେଉଛି ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି,

-ଏହି ଜାଲିଆତି କଳାବଜାରୀକୁ ପ୍ରସୟ ଦେଉଛି କି ନାହିଁ ?
-ଏହା ଦ୍ୱାରା ଚାଷୀ ସିଧାସଳଖ ପ୍ରଭାବିତ ହେବେ ନା ନାହିଁ ?