କନକ ବ୍ୟୁରୋ: ଅଧୁନିକ ଯୁଗରେ ମହିଳାମାନେ ପାଠ ପଢି ବିଭିନ୍ନ ଚାକିରୀ ଓ ବ୍ୟବସାୟ କରି ବଡବଡ ପଦପଦବୀରେ ନିଜକୁ ଅବସ୍ଥାପିତ କରୁଛନ୍ତି । ହେଲେ ଆଜି ବି ଏମିତି ମହିଳା ଅଛନ୍ତି ଯେଉଁମାନେ ଘର କଣରୁ ବାହାରି ପାରିନାହାନ୍ତି । ସେହିଭଳି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବଲାଙ୍ଗୀରର ସ୍ୱାବଲମ୍ବୀ ମହିଳା । ଅଳ୍ପ ପାଠ ପଢିଥିବା ମହିଳାମାନେ ଆରିସା ପିଠା ବ୍ୟବସାୟ କରି ନିଜେ ସ୍ୱାବଳମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ପାରୁଛନ୍ତି । ପଢ଼ନ୍ତୁ ବଲାଙ୍ଗିରରୁ ଏମିତି ଏକ ପ୍ରେରଣୀଦାୟୀ ଖବର ।
ଆରିସା ପିଠା । ଘରେ ଘରେ ପରିଚିତ ଆଉ ପ୍ରାୟ ସମସ୍ତଙ୍କ ପସନ୍ଦର ପିଠା । ପର୍ବ ପର୍ବାଣୀ ବିବାହ ବତ୍ର, ସବୁଠି ଖୋଜା ପଡେ ଆରିସା ପିଠା । ଏହି ଆସିରା ପିଠା ଯେ, ରୋଗଜାଗର ଯୋଗାଇ ପାରିବ ଏକଥା ଜାଣି ପାରିଥିଲେ ବଲାଙ୍ଗିରର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରଥମେ ମହିଳାମାନେ ଏସ୍ଏସ୍ଜି ଗ୍ରୁପରେ କାମ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଆରିସା ପିଠା ବିକ୍ରି କରୁଥିଲେ । ଆଉ ଏବେ ସେମାନେ ନିଜ ଖର୍ଚରେ ଆରିସା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି, ଆଉ ଦୁଇ ପଇସା ରୋଜଗାର କରୁଛନ୍ତି ।
ବଲାଙ୍ଗିରର ମହିଳାମାନେ ଆରିସା ପିଠା ବିକ୍ରି କରି ଦିନକୁ ପ୍ରାୟ ୫ରୁ ୬ ହଜାର ଟଙ୍କା ରୋଜଗାର କରିଥାନ୍ତି । ବାହାଘର ଓ ଦଶହରା ସମୟରେ ଦିନକୁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି । ଘର କାମ ସହ ଆରିସା ବ୍ୟବସାୟକୁ ବେଶ ଭଲ ଭାବରେ ସମ୍ଭାଳିଛନ୍ତି ମହିଳା । ଆଉ ପରିବାରକୁ ଆର୍ଥିକ ସହଯୋଗ ମଧ୍ୟ କରିପାରୁଛନ୍ତି । ବଲାଙ୍ଗିର ସହର ଓ ଏହାର ଆଖପାଖ ସହରରେ ମହିଳାମାନେ ଆରିସା ପିଠାର ହୋମ ଡେଲିଭରି ମଧ୍ୟ କରୁଛନ୍ତି । ଲୋକଙ୍କ ଅର୍ଡର ମୁତାବକ ସେମାନଙ୍କ ଘରେ ଆରିସା ପହଂଚାଉଛନ୍ତି କିଛି ବ୍ୟବସାୟୀ ।
ଆରିସା ପିଠା ପ୍ରସ୍ତୁତି ପ୍ରଣାଳୀ..
୧. ଅରୁଆ ଚାଉଳକୁ ହେମଦସ୍ତାରେ କୁଟି ଚୂନା ପ୍ରସ୍ତୁତ କରାଯାଏ ।
୨. ପାଣିରେ ଗୁଡ ପକାଇ ଗରମ କରିବା ପରେ ସେଥିରେ ଚାଉଳ ଚୂନାକୁ ପକାଯାଏ
୩. କିଛି ସମୟ ଧରି ଘାଂଟିବା ପରେ ଆରିସା ପାଇଁ ଖଳି ପ୍ରସ୍ତୁତ ହୋଇଥାଏ ।
୪. ପରେ ସେହି ଖଳିକୁ ସୁନ୍ଦର ଭାବେ ଗୋଲ ଗୋଲ କରି ତେଲର ଛଣିବା ପରେ ଆରିସା ପିଠା ପ୍ରସ୍ତୁତ ହୋଇଯାଏ ।
ଅନ୍ୟ ଘରେ କାମ କରି କିମ୍ବା ଗରିବୀର ଦ୍ୱାହି ନ ଦେଇ ପରିଶ୍ରମ କରି ଏକ ପାରମ୍ପରୀକ ଖାଦ୍ୟକୁ ଲୋକଙ୍କ ପାଖରେ ଅତି ସହଜରେ ପହଂଚାଇ ଦୁଇପଇସା ରୋଜଗାର କରୁଥିବା ଏହି ମହିଳାମାନେ ନିଶ୍ଚୟ ପ୍ରେରଣାଦାୟୀ ଅଟନ୍ତି ।