ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡିଲେ ହିମାଂଶୁ ଶେଖର ପାଢୀ

123

କନକ ବ୍ୟୁରୋ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର କୃଷି ଅଧିକାରୀ ହିମାଂଶୁ ଶେଖର ପାଢୀ । ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୃଷି ଅଧିକାରୀ । ଦୁର୍ଯ୍ୟୋଧନ ବାରିକଙ୍କର ଏକ ସାର ଦୋକାନ ଥିବା ବେଳେ ସାର ବିକ୍ରି କରିବା ପାଇଁ ମାଗଣାରେ ପି.ଓ.ଏସ ତଥା ପଏଂଟ ଅଫ ସେଲ ମେସିନ ପାଇବା କଥା ।

କିନ୍ତୁ ମାଗଣା ମେସିନ୍ ଦେବା ପାଇଁ ବଲାଙ୍ଗିର କୃଷି ଅଧିକାରୀ ତାଙ୍କୁ ୭ ହଜାର ଟଙ୍କା ଲାଂଚ ମାଗିଥିଲେ । ସାର ଦୋକାନୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବିକ କୃଷି ଅଧିକାରୀ ହିମାଂଶୁ ପାଢୀ ନିଜ ଅଫିସରେ ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢଉ କରି ତାଙ୍କୁ କାବୁ କରିଛି । ପରେ ହାତୀଶାଳପଡ଼ା ଭଡ଼ା ଘରକୁ ଯାଇ ଭିଜିଲାନ୍ସ ରେଡ଼ କରିଛି । ଭଡ଼ାଘରୁ ଛୋଟ ଗଂଜେଇ ପୁଡ଼ିଆ ମଧ୍ୟ ପାଇଛି ଭିଜିଲାନ୍ସ । ଭିଜିଲାନ୍ସ ଜିଲ୍ଲା କୃଷି ଅଧିକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଲଂଚ ନେବା କଥାକୁ ଅସ୍ୱିକାର କରିଛନ୍ତି କୃଷି ଅଧିକାରୀ ହିମାଂଶୁ ପାଢୀ ।