ତେଜସ୍ୱିନୀ ଓଜସ୍ୱିନୀ । ନିଜେ କର୍କଟ ରୋଗ ସହ ଲଢୁଛନ୍ତି ଅସହାୟଙ୍କ ସେବା କରି ଉଦାହରଣ ପାଲଟିଛନ୍ତି ।

438

କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ଦୁସ୍ଥ ଏବଂ ଅସହାୟଙ୍କ ସେବାରେ ହିଁ ମିଳେ ଆତ୍ମତୃପ୍ତି । ଯାହା ଅନ୍ୟ କୈଣସି ସେବାରେ ମିଳିନଥାଏ । ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସଂମୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଅସହାୟକଙ୍କ ସେବା କରି ଉଦାହରଣ ସାଜିଛନ୍ତି ଓଜସ୍ୱିନୀ ବିଶୋଇ । ଘର-ନବରଙ୍ଗପୁର ଜିଲ୍ଲାର ଦେଗିସପାଲି ଅଞ୍ଚଳରେ ଯାହାଙ୍କ ମାନବ ସେବାକୁ ନେଇ ଏବେ ଚର୍ଚ୍ଚା ।

ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ହରିହର କ୍ୟାନସର ହସପିଟାଲକୁ ଆସିଥିଲେ ଓଜସ୍ୱିନୀ ବିଶୋଇ । ଜଣେ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସା କରାଇଥିଲେ । ଏବେ ବି ସେ ସଂପୂର୍ଣ୍ଣ ସୁସ୍ଥ ନୁହଁନ୍ତି । କିନ୍ତୁ କର୍ଟକର କଷ୍ଟକୁ ଅଙ୍ଗେ ନିଭାଇବା ପରେ ଡାକ୍ତରଖାନାରେ ଥିବା ଅନ୍ୟ ଅସହାୟ ରୋଗୀଙ୍କ ସେବାରେ ଲାଗିଛନ୍ତି ଓଜସ୍ୱିନୀ ।

ପିଲା ଦିନୁ ଆର୍ଥିକ ଅନଟନରେ ବଢିଥିବା ଓଜସ୍ୱିନୀ ଯୁକ୍ତ ଦୁଇ ପାସ କରିବା ପରେ ରୋଜାଗର ଆଶାରେ ଘର ଛାଡି ଏକ ଆଶ୍ରମକୁ ଚାଲି ଆସିଥିଲେ । ଆଶ୍ରମରେ ପିଲାଙ୍କୁ ହିନ୍ଦୀ ପଢାଇବା ସହ ନାଚ, ଗୀତ ଶିଖାଉଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ହଠାତ୍ ଦେହ ଖରାପ ହେବାରୁ ଜଣାପଡିଲା ଓଜସ୍ୱିନୀ କର୍କଟ ରୋଗରେ ଆକ୍ରାନ୍ତ । ଆଉ ଏହାପରେ ନିଜର ଚିକିତ୍ସା କରାଇବା ସହ ଅସହାୟ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଏହି ସେବିକା ଜଣଙ୍କ । କର୍କଟ ଦେଇଛି ନୂଆ ଜୀବନ ଆଉ ନୂଆ ପରିଚୟ । କର୍କଟ ଭଳି ମାରାତ୍ମକ ରୋଗକୁ ପ୍ରତିହତ କରି ନିଜେ ବିଜୟୀ ହେବା ସହ ଅନ୍ୟକୁ ନୂଆ ଜୀବନର ରାସ୍ତା ଦେଖାଉଛନ୍ତି କର୍କଟଜୟୀ ଓଜସ୍ୱିନୀ ।