ବାହାଘର ପରେ କନ୍ୟା ଫେରାର। ପ୍ରେମିକ ସହ ବାଇକରେ ମାରିଲେ ଚମ୍ପଟ।

289

କନକ ବ୍ୟୁରୋ: ବାହାଘର ସରିିଥିଲା । ରାତି ପାହିଲେ କନ୍ୟାକୁ ସାଙ୍ଗରେ ଧରି ଯୁବକ ଫେରିଥାନ୍ତେ ଘରକୁ । କିନ୍ତୁ, ହାତଗଣ୍ଠି ପରେ ଶାଶୁଘରକୁ ଫେରିବା ବଦଳରେ ପ୍ରେମିକ ସହ ଫେରାର ହୋଇଯାଉଛନ୍ତି କନ୍ୟା । କନ୍ୟା ଘରୁ ବାହାରି ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଚାଲିଯାଉଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ବ୍ରାହ୍ମଣପଡାରେ ଗୁରବାର ରାତିରେ ଏଭଳି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ବର ଶିଶୁପାଳ ହୋଇ ଫେରି ଥାନାରେ ଏତଲା ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଯୁବକ ପ୍ରେମ କୁମାର ମାଝିଙ୍କ ସହ ବାଲାଙ୍ଗୀର ବ୍ରାହ୍ମଣପଡା ଅଞ୍ଚଳର ଯୁବତୀଙ୍କ ସହ ଗୁରବାର ବିବାହ ହୋଇଥିଲା । ଉଭୟ ଫୋନରେ କଥା ହେଉଥିଲେ, ଏକାଠି ବୁଲୁଥିଲେ । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିିଛି । ତେବେ ୭ ମାସର ସମ୍ପର୍କ ପରେ ହାତଗଣ୍ଠି ପଡ଼ିଥିଲା । ହେଲେ ଶେଷ ମୂହୁର୍ତ୍ତରେ କନ୍ୟା ବରକୁ ଛାଡ଼ି ଫେରାର ହୋଇଛନ୍ତି । ଝିଅ ବିଦା ବେଳକୁ ଘର ଲୋକ ଯେତେବେଳେ ଝିଅଙ୍କୁ ଖୋଜିଥିଲେ ସେତେବେଳେ ପାଇନଥିଲେ । ଘଟଣାକୁ ନେଇ ବରପକ୍ଷ ଓ କନ୍ୟା ପକ୍ଷ ଲୋକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଝିଅ ସୁନାଗହଣା ନେଇ ଫେରାର ହୋଇଥିବା ଜଣାପଡିଛି । ଅଭିଯୋଗ ପରେ ଉଭୟ ଯୁବକ ଓ ଯୁବତୀଙ୍କ ଖୋଜାଖୋଜି ଆରମ୍ଭ ହୋଇଛି । ତେବେ ସେମାନଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ପୁଲିସ ସତ ଜାଣିବା ପାଇଁ ଅକଳରେ ପଡିଛି ।