କନକ ବ୍ୟୁରୋ : ଅନ୍ଧବିଶ୍ବାସର ଶୀକାର ହୋଇ ଗୁଣିଆ ଦେଇଛି ଯନ୍ତ୍ରଣା । ଚିକିତ୍ସା ନାଁରେ ଝିଅ ମୁଣ୍ଡରେ ଫୋଡିଛି ୩୦ରୁ ଅଧିକ ଛୁଂଚି । ଆଉ ସିଟି ସ୍କାନ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ତେବେ ମୁଣ୍ଡରୁ ଛୁଂଚି ବାହାରିବା ସହ ହାତରୁ ରକ୍ତ ଝରିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ରେଶମା ଅସୁସ୍ଥ ଥିବାରୁ ୨୦୨୧ରେ ନିଜ ବାପାଙ୍କ ସହ ଗୁଣିଆ ପାଖକୁ ଯାଇଥିଲେ । ଆଉ ଚିକିତ୍ସା ଆଳରେ ମୁଣ୍ଡରେ ପୁଳା ପୁଳା ଛୁଂଚି ଫୋଡିଥିଲେ ଗୁଣିଆ । ଏବେ ୩ ବର୍ଷ ପରେ ରେଶମାର ଦେହ ଖରାପ ହୋଇ ହାତରୁ ରକ୍ତ ବାହାରିଥିଲା । ପରିବାର ଲୋକେ ଭୟଭୀତ ହୋଇ ଝିଅକୁ ନେଇ ମେଡିକାଲରେ ପହଂଚିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଝିଅର ସିଟି ସ୍କାନ କରାଯାଇଥିବା ବେଳେ ମୁଣ୍ଡରେ ସବୁ ଛୁଂଚି ରହିଥିବା ଜଣାପଡିଥିଲା। ୨୦୨୧ ମସିହାରେ ଚିକିତ୍ସା ପାଇଁ ଗୁଣିଆ ବ୍ୟବହାର କରିଥିବା ସବୁ ଛୁଂଚି ମୁଣ୍ଡରେ ରହିଥିବା କହିଥିଲେ ଡାକ୍ତର ।

Advertisment

ଖବରରୁ ଜଣାପଡିଛି, ଚିକିତ୍ସା ବାହାନାରେ ସଂପୃକ୍ତ ଗୁଣିଆ ରେଶମାଙ୍କୁ ଏକ କୋଠରୀରେ ରଖି ତାଙ୍କ ମୁଣ୍ଡରେ ପଶୁଙ୍କୁ ଦିଆଯାଉଥିବା ଛୁଂଚି ଫୋଡିଥିଲେ । ଏବେ ୩ ବର୍ଷ ପରେ ଏସବୁ ତଥ୍ୟ ବାହାରକୁ ଆସିଛି ।। ଝିଅ ରେଶମାକୁ ପରିବାର ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଘଟଣା ନେଇ କଂଟାବାଂଜି ଥାନାରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ରେଶମାଙ୍କ ପରିବାର ଲୋକ ।

ଅଭିଯୋଗ ପରେ ସଂପୃକ୍ତ ଅଭିଯୁକ୍ତ ଗୁଣିଆକୁ ଗିରଫ କରାଯାଇଛି । ଅଧିକ ଚିକିତ୍ସା ପାଇଁ ରେଶମାଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି । ତେବେ ହାତରୁ କାହିଁକି ରକ୍ତ ବାହାରୁଛି ତାହା ଡାକ୍ତର ବି ଜାଣିପାରୁନାହାନ୍ତି  ।