କନକ ବ୍ୟୁରୋ: କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର ବୋଲବମ ବା କାଉଡ଼ିଆଙ୍କୁ ପୁରୀ ମନା ହୋଇଛି। ପୁରୀ ଜିଲ୍ଲା ବା ବାହାର ଜିଲ୍ଲାରୁ କୌଣସି କାଉଡ଼ିଆ ଭକ୍ତ ପୁରୀକୁ ଆସି ପାଣି ଢାଳିପାରିବେ ନାହିଁ। ପୁରୀର ପ୍ରସିଦ୍ଧ ଶୈବ ପୀଠ ଲୋକନାଥଙ୍କ ସମେତ ଜିଲ୍ଲାର ଅନ୍ୟ ସମସ୍ତ ଶିବ ମନ୍ଦିରରେ ମଧ୍ୟ ପାଣି ଢାଳିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ନେଇ ନିଷ୍ପତ୍ତି ହୋଇଛି।
ଗତକାଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏଥର କରୋନା ସଂକ୍ରମଣ ଓ କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି। ଲୋକନାଥଙ୍କ ସହିତ ପୁରୀ ଜିଲ୍ଲାର ଅନ୍ୟ ଶୈବ ପୀଠ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ।
ପୁରୀରେ ମହାପ୍ରଭୁ ଲୋକନାଥଙ୍କ ପୀଠରେ ଶ୍ରାବଣ ମାସର ପ୍ରତି ସୋମବାର ଦିନ ପାଣି ଢାଳିବା ପାଇଁ ଲକ୍ଷାଧିକ କାଉଡିଆ ଆସିଥା’ନ୍ତି। ଏଥିପାଇଁ ପୀଠରେ ପ୍ରବଳ ଭିଡ଼ ହୋଇଥାଏ। ମାତ୍ର ଏଥର ତାହା ବାରଣ କରାଯାଇଛି। ଭକ୍ତମାନେ ନିଜ ନିଜ ଘରେ ରହି ଏଥର ମହାପ୍ରଭୁଙ୍କ ଆରାଧନ କରନ୍ତୁ, କେଉଁଠି ବି ପାଣି ଢାଳିବାକୁ ଯାଇ ଭିଡ଼ କରନ୍ତୁ ନାହିଁ ବୋଲି ଉପଜିଲ୍ଲାପାଳ ନିବେଦନ କରିଛନ୍ତି। ଏଥର କରୋନାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଯେଉଁ ଭଳି ସଫଳ ହେଲା ସେହିଭଳି କାଉଡ଼ିଆ ଭକ୍ତମାନେ ଏଥର କରୋନା ନିୟମ ମାନନ୍ତୁ ବୋଲି ନିବେଦନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/1-4.jpg)