କନକ ବ୍ୟୁରୋ: ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ପୁଷ୍କରିଣୀ ନିକଟରେ ଭିଡ଼ ଜମେଇବେ ସହରବାସୀ। ରାସ ପୂର୍ଣ୍ଣିମାର ଏହି ବିଶେଷ ମୁହୂର୍ତକୁ ଓଡ଼ିଆମାନେ ଚାହିଁ ରହିଥିବା ବେଳେ ଏଥିପାଇଁ କିଛି ଅନୁଷ୍ଠାନ ଉଜାଗର ରହି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବୋଇତ ବନ୍ଦାଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭେଟିଦେବେ।

Advertisment

publive-image

ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ଆସନ୍ତାକାଲି ଭୋର୍ ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୧୪ ଫୁଟିଆ ଡଙ୍ଗା ବିନ୍ଦୁସାଗରରେ ଆକର୍ଷଣ ସାଜିବ। ନଳାମୁହଁ ସାହିର ହୃଷୀକେଶ ବେହେରା ଏହି ଡଙ୍ଗା ତିଆରି କରୁଛନ୍ତି। ସୋଲ ବ୍ୟବହାର କରି ସେ ଏକ ଆକର୍ଷଣୀୟ ଡଙ୍ଗା ପ୍ରସ୍ତୁତ କରିଛନ୍ତି। ୭ଜଣ ସାଧବ ପୁଅ କଣ୍ଢେଇ ମଧ୍ୟ ଏଥିରେ ରହିବେ। ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ସୌଦାମିନୀ ସାମଲ। ଏହି ଡଙ୍ଗାକୁ ମନ୍ତ୍ରୀଙ୍କ ଦ୍ବାରା ଭସାଯିବ ବୋଲି ସେ କହିଛନ୍ତି। ସେହିପରି ଚନ୍ଦ୍ରଶେଖପୁର ବୋଇତ ବନ୍ଦାଣ ପାଇଁ ୮ଫୁଟିଆ ଡଙ୍ଗା ସେ ପ୍ରସ୍ତୁତ କରୁଛନ୍ତି। ଶୀତୁଆ ପାହାନ୍ତି ସକାଳକୁ ଧାର୍ମୀୟ ଭାବନା ସହ ଶେଷ କରିବାକୁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ୍) ପକ୍ଷରୁ ଲିଙ୍ଗିପୁର-ନାଥପୁର ଦୟାନଦୀ ଘାଟରେ ୮ମ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବର ଆୟୋଜନ କରିଛି।

publive-image

ଏହି ଅବସରରେ ଆକର୍ଷଣ ସାଜିବେ ମୁମ୍ବାଇର ଜଣାଶୁଣା ଶିଳ୍ପୀ ଅନିଲ୍ ବାୱରାଙ୍କ ସଂଗୀତରେ ଭିଜିବେ ଶ୍ରଦ୍ଧାଳୁ। ଏଥିସହ ଭୋର୍ ୩ଟାରୁ ଏହି ଭଜନ ସନ୍ଧ୍ୟାରେ ଜଗବନ୍ଧୁ ମୁଦୁଲି ଓ ସାଥୀ ସ୍ବରାରବିନ୍ଦ ବିଶ୍ବଶାନ୍ତି ଭଜନ ସନ୍ଧ୍ୟା ପରିବେଷଣ କରିବେ। ସେହିଭଳି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଧଉଳି ପାନ୍ଥିକାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ହେବ। ୩୦ରୁ ଅଧିକ ଜରା ନିବାସ ଅନ୍ତେବାସୀ ଏଥିରେ ସାମିଲ୍ ହେବେ। ଏହା ବ୍ୟତୀତ ଧଉଳି ଶାନ୍ତିସ୍ତୂପକୁ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପାରମ୍ପରିକ ଓଡ଼ିଆ ଓ ଦେଶୀୟ ଖାଦ୍ୟ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଚଇତି ଘୋଡ଼ା ଭଳି ସାଂସ୍କୃତିକ ନୃତ୍ୟ ଅନୁଷ୍ଠିତ ହେବ। ଏହା ବ୍ୟତୀତ ମହାନଦୀ ପଠାରେ ଓଟିଡିସି ପକ୍ଷରୁ ଫୁଡ୍ ଷ୍ଟଲ୍ ସମେତ ମହାନଦୀ ପଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ଜଳକ୍ରୀଡ଼ା ଓ ନୌକା ବିହାରର ସୁଯୋଗ ମିଳିବ ।