ବନ୍ଧା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ । ନଗଦ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ପରେ ଗିରଫ କଲା ଭିଜିଲାନ୍ସ ।

153

କନକ ବ୍ୟୁରୋ: ଗିରଫ ହେଲେ ବୈପାରୀଗୁଡା ଥାନ୍ତ ଅଧିକାରୀ ସୁଶାନ୍ତ ଶତପଥୀ । ସୁଶାନ୍ତ କଟକ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ଆଜି ଏହି ଘରୁ ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ବର୍ତମାନ ସୁଦ୍ଧା ସୁଶାନ୍ତଙ୍କ କଟକ ଓ ବୈପାରୀଗୁଡା ସରକାରୀ କ୍ୱାଟର, ଥାନା ଚାମ୍ବର ଓ ବସରୁ ୩୭ ଲକ୍ଷ ୨୭ ହଜାର ଜବତ ହୋଇସାରିଲାଣି ।

  • ଆଇଆଇସିଙ୍କ ଘରେ ଟଙ୍କାର ପାହାଡ
  • ଘର, ଚାମ୍ବର ଓ ବ୍ୟାଗରେ ବିଡା ବିଡା ଟଙ୍କା
  • ଟଙ୍କା ଓ ଥାନା ଅଧିକାରୀଙ୍କ ଫଟୋ

ବୈପାରୀଗୁଡା ଥାନାର ଆଇଆଇସି ସୁଶାନ୍ତ କୁମାର ଶତପଥୀ । କୁହାଯାଏ, ଚାକିରି କରିବ ପୁଲିସ, ମାଛ ଖାଇବ ଇଲିସି । ଏହି ଉକ୍ତି ବୋଧହୁଏ ସୁଶାନ୍ତଙ୍କ କ୍ଷେତ୍ରରେ ବେଶ ପ୍ରଯୁଜ୍ୟ ସାବ୍ୟସ୍ତ ହୋଇଛି । ଦୁଇଦିନର ଚଢାଉରେ ଭିଜିଲାନ୍ସ ଯେଉଁ ନଗଦ ଟଙ୍କା ପାଇଛି, ତାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି ।

ବୈପାରୀଗୁଡା ଥାନା ଆଇଆଇସିଙ୍କ ବକ୍ସିବଜାର ସ୍ଥିତ କ୍ୱାର୍ଟରରେ, ମଙ୍ଗଳବାର ସକାଳୁ ଭିଜିଲାନ୍ସ ଯେତେବେଳେ ଚଢାଉ କରିଥଲା ସେତେବେଳେ ଘରୁ ମିଳିିଥିଲା ବିଡା ବିଡା ଟଙ୍କା । ଜବତ ହୋଇଛି ଲକ୍ଷେ କି ଦୁୁଇ ଲକ୍ଷ ନୁହେଁ ବରଂ ୨୯ ଲକ୍ଷ ୭୭ ହଜାର ଟଙ୍କା । ମେସିନ ଦ୍ୱାରା ଟଙ୍କା ଗଣୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଉ ଏତେ ଟଙ୍କା ଦେଖିବା ପରେ ଭିିଜିଲାନ୍ସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

  • ନଗଦ ଯଦି ଏତେ, ଭିତରେ ପୁଣି କେତେ?
  • କୁଆଡୁ ଆଣିଲେ ଏତେ ଟଙ୍କା?

ବର୍ତମାନ ସୁଦ୍ଧା ବୈପାରୀଗୁଡା ଆଇଆଇସିଙ୍କ ନିକଟରୁ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିସାରିଲାଣି ଭିଜିଲାନ୍ସ । କନଷ୍ଟେବଳରୁ ଆଇଆଇସି ହୋଇଥିବା ସୁଶାନ୍ତ ବୈପାରୀଗୁଡା ଥାନାରେ ୫ ମାସ ହେଲା ଥାନା ଅଧିକାରୀ ଭାବେ ଯୋଗଦେଇଥିଲେ । ସୋମବାର ବସ ଯୋଗେ ସେ କଟକ ଆସି କେନ୍ଦ୍ରାପଡା ଯାଇଥାନ୍ତେ । ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ମାଡିବସିଥିଲା ଭିଜିଲାନ୍ସ ଟିମ୍ ।

ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଥିଲା । ସେହିଭଳି ଚଢାଉ ବେଳେ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଜବତ ହୋଇଥିଲା । ରାତିରେ ସରକାରୀ ଘରେ ଚଢାଉ ବେଳେ ୩ ଲକ୍ଷ ଜବତ ହୋଇଛି । ବୈପାରୀଗୁଡା ଥାନା ଅଧିକାରୀ ନାଁରେ ପୂର୍ବର୍ରୁ ଅନେକ ଅଭିଯୋଗ ଆସିଥିଲା । ମାସେ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ ।

ଅଳ୍ପଦିନ ମଧ୍ୟରେ ଏତେ ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ଆଇଆଇସି । ଫଳରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ସେୟାର ମାର୍କେଟ ଓ ଅନ୍ୟ ଜମା ସହ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେବ ବୋଲି ଜଣାପଡିଛି । ପ୍ରଶ୍ନ ଉଠୁଛି…

  • କଟକ ଘରେ ଏତେ ଟଙ୍କା ଦେଇଥିଲା କିଏ?
  • ବସରେ ଏତେ ଟଙ୍କା କୁଆଡେ ନେଇଥାନ୍ତେ?
  • ଗଞ୍ଜେଇ ମାଫିଆ ମୋଟା ଟଙ୍କା ଦେଉଥିଲେ କି?
  • ୫ ଦିନ ହଠାତ୍ କାହିଁକି ଛୁଟିରେ ଯାଉଥିଲେ ଆଇଆଇସି ?
  • ଆଇଆଇସିଙ୍କୁ କିଏ ଏଥିପାଇଁ ସହଯୋଗ କରୁଥିଲା କି?