ଭାରତ ଆକାଶରେ ଆଉ ଉଡିବନି ବୋଇଂ-୭୩୭ ! ସବୁ ବୋଇଂ ବିମାନର ଉଡାଣ ବନ୍ଦ, ଇଥିଓପିଆ ଦୁର୍ଘଟଣା ପରେ ଭାରତ ସରକାରଙ୍କ ପଦକ୍ଷେପ ।

173

କନକ ବ୍ୟୁରୋ : ଇଥିଓପିଆରେ ବିମାନ ଦୁର୍ଘଟଣାର ପ୍ରଭାବ ଭାରତରେ ପଡିଛି । ବୋଇଂ ୭୩୭ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ଯେପର୍ଯ୍ୟନ୍ତ ସୁରକ୍ଷା ଯାଂଚ ନ ସରିଛି, ସେ ଯାଏଁ ଭାରତର ଆକାଶରେ ବୋଇଂ ଆଉ ଉଡିବନି ବୋଲି ସ୍ପଷ୍ଟ କରିଛି ବେସାମରିକ ବିମାନ ଉଡାଣ ଚଳାଚଳ ବିଭାଗ । ଏନେଇ ଆଜି ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ସୁରେଶ ପ୍ରଭୁ, ବିଭିନ୍ନ ବିମାନ କମ୍ପାନୀ ଓ ଏଜେନ୍ସି ସହିତ ବୈଠକ କରିଛନ୍ତି ।

ଭାରତୀୟ ଆକାଶରେ ଉଡିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ । ଇଥିଓପିଆ ଦୁର୍ଘଟଣା ପରେ ଲାଗିଲା କଟକଣା । ଭାରତୀୟ ଆକାଶରେ ଆଉ ଉଡିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ । ଇଥିଓପିଆରେ ବିମାନ ଦୁର୍ଘଟଣା ପରେ ଏପରି ନିଷ୍ପତି ନେଇଛି ବେସାମରିକ ବିମାନ ଉଡାଣ ଚଳାଚଳ ମନ୍ତ୍ରାଳୟ । ରବିବାର ୧୦ତାରିଖ ଦିନ ଇଥିଓପିଆରେ ଉଡାଣ ଭରିବାର ମାତ୍ର ୬ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଇଥିଓପିଆନ ଏୟାରଲାଇନ୍ସର ବୋଇଂ ୭୩୭ ମ୍ୟାକ୍ସ ୮ ବର୍ଗର ବିମାନ ।

ଏହି ଦୁର୍ଘଟଣା ପରେ କେବଳ ଭାରତ ନୁହେଁ ସାରା ବିଶ୍ୱର ଅନେକ ରାଷ୍ଟ୍ର ଏବେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଉପରେ କଟକଣା ଲଗାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ କଟକଣା ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଯେ ପର୍ଯ୍ୟନ୍ତ ବୋଇଂ ୭୩୭ର ସୁରକ୍ଷା ଓ ଏଥିରେ ଆବଶ୍ୟକ ପରିବର୍ତନ କରାନଯାଇଛି ସେପର୍ଯ୍ୟନ୍ତ ଏହାର ଉଡାଣ ବନ୍ଦ ରହିବ ।

ଦୁଇ ମାସ ଭିତରେ ୨ଟି ବୋଇଂ ୭୩୭ ବିମାନ ଦୁର୍ଘଟଣା । ଆଉ ଜୀବନ ହାରିଛନ୍ତି ୩୪୬ ଯାତ୍ରୀ ଓ କ୍ରୀଉ ମେମ୍ବର । ରବିବାର ଦିନ ଇଥିଓପିଆରେ ବୋଇଂ ୭୩୭ ବିମାନ ଦୁର୍ଘଟଣାରେ ୧୪୯ଯାତ୍ରୀଙ୍କ ସହ ୮କ୍ରୀଉ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ଗତ ୬ମାସ ମଧ୍ୟରେ ବୋଇଂ ୭୩୭ ବର୍ଗ ବିମାନର ଏହା ଦ୍ୱିତୀୟ ଦୁର୍ଘଟଣା । ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୮ତାରିଖରେ ଇଣ୍ଡୋନେସିଆର ଲାୟନ ଏୟାରର ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏଥିପାଇଁ ଭାରତରେ ସ୍ପାଇସ ଜେଟର ୧୨ଟି ବୋଇଂ ୭୩୭ ବିମାନ ଉପରେ କଟକଣା ଲାଗିଛି । କାରଣ ଭାରତରେ କେବଳ ସ୍ପାଇସ ଜେଟ୍ ନିକଟରେ ବୋଇଂ ୭୩୭ ବିମାନ ରହିଛି । ଏହାସହ କୌଣସି ବୋଇଂ ୭୩୭ ବିମାନ ଭାରତୀୟ ଆକାଶ ପଥକୁ ବ୍ୟବହାର କରିପାରିବେ ନାହିଁ । ବୋଇଂ ୭୩୭ ଉଡାଣରେ ବିଭିନ୍ନ ଦେଶ ପକ୍ଷରୁ କଟକଣା ଜାରି କରାଯାଇଛି । ଜର୍ମାନୀ, ଅଷ୍ଟ୍ରେଲିଆ, ମାଲେସିଆ, ଓମାନ, ଇଥିଓପିଆ, ସିଙ୍ଗାପୁର, ଫ୍ରାନ୍ସ, ଚାଇନା, ଆୟରଲ୍ୟାଣ୍ଡ, ଇଣ୍ଡୋନେସିଆ, ମୋରୋକ୍କା, ୟୁକେ ଓ ମଙ୍ଗୋଲିଆ ବୋଇଂ ୭୩୭ ବିମାନର ଉଡାଣରେ କଟକଣା ଲଗାଇଛନ୍ତି ।