କନକ ବ୍ୟୁରୋ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆପଣ କ’ଣ କରନ୍ତି । କେହି ତାଙ୍କ ଫଟୋରେ ମାଳ ପିନ୍ଧାନ୍ତି ତ ଆଉ କେହି ତାଙ୍କର ଭବ୍ୟ ପ୍ରତିମୂର୍ତ୍ତି ତିଆରି କରି ଧୂପ, ଦୀପ ଦେଇଥାନ୍ତି । ହେଲେ ଉତ୍ତରପ୍ରଦେଶର ହାପୁରର ଜଣେ ଯୁବକ ବୀର ସହୀଦ ମାନଙ୍କୁ ଏପରି ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ।
ଉତ୍ତରପ୍ରଦେଶର ଯୁବକ ପଣ୍ଡିତ ଅଭିଷେକ ଗୌତମ, ପେସାରେ ଜଣେ ଇଣ୍ଟେରିୟର ଡିଜାଇନର । ହେଲେ ତାଙ୍କର ପେସା ଠାରୁ ତାଙ୍କର ଏକ ନିଆରା କାର୍ଯ୍ୟ ପାଇଁ ତାଙ୍କୁ ଆଜି ସାରା ଦେଶ ଜାଣିଛି । ଦେଶ ତଥା ଦେଶ ପାଇଁ ପ୍ରାଣବଳି ଦେଇଥିବା ସହୀଦଙ୍କ ପାଇଁ ତାଙ୍କର ଅମାପ ଶ୍ରଦ୍ଧା ଓ ସମ୍ମାନ ଆଜି ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ । ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସେ ଏପରି କାମ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ସେ ତାଙ୍କ ପୁରା ଶରୀରରେ ୬ଶହରୁ ଅଧିକ ସହୀଦଙ୍କ ନାଁ ଟାଟୁ କରିଛନ୍ତି ।
କେବଳ ସହୀଦଙ୍କ ନାଁ ନୁହେଁ ବରଂ ବୀର ସହୀଦଙ୍କ ଫଟୋ ସହ ଇଣ୍ଡିଆ ଗେଟ୍ ଓ ଦିଲ୍ଲୀରେ ଥିବା ସହୀଦ ସ୍ମାରକୀର ଛବି ଖୋଦେଇ କରିଛନ୍ତି । ସେ ତାଙ୍କ ଶରୀରରେ ମୋଟ ୬୩୧ ଜଣ ସହୀଦଙ୍କ ନାଁ ଖୋଦେଇ କରିଥିବା ଗଣମାଧ୍ୟମକୁ କହିଛନ୍ତି । ଏହାସହ ତାଙ୍କ ପୁରା ଶରୀର ସହୀଦ ସ୍ମାରକୀର ଏକ ଚଳନ୍ତା ସ୍ମାରକୀ ପାଲଟିଯାଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଅଭିଷେକଙ୍କ ଦେହରେ ୬୩୧ ଜଣ ସହୀଦଙ୍କ ମଧ୍ୟରୁ ୫୫୯ଜଣ କାରଗିଲ ସହୀଦଙ୍କ ନାଁ ରହିଛି ।
ଅଭିଷେକ କହିଛନ୍ତି, କାରଗିଲ ଯୁଦ୍ଧରେ ସାମିଲ ସହୀଦ ଛପରାସ୍ଥିତ ଏକମାର ଅରୁଣ କୁମାର ସିଂହ ପରିବାର ସହିତ ଦେଖା କରିଛନ୍ତି । ଏବେ ଏକମାରେ ଅରୁଣ ସିଂହଙ୍କ ପ୍ରତିଭୂର୍ତ୍ତି ନିର୍ମାଣ କରିବାକୁ ଅଭିଷେକ ଚାହୁଛନ୍ତି । ଏଥିପାଇଁ ସେ ଅର୍ଥ ଯୋଗାଡ କରିବାରେ ବ୍ୟସ୍ତ ଅଛନ୍ତି ।
ହେଲେ ଏ ମଣିଷ ଜୀବନ ପାଇ ଦେଶର ଅମର ସହୀଦ ମାନଙ୍କ ପାଇଁ ମୋର ଏହି ପ୍ରୟାସ ପାଇଁ ଆଜି ଅଭିଷେକ ଯୁଆଡେ ଯାଉଛନ୍ତି ତାଙ୍କୁ ମିଳୁଛି ପ୍ରଶଂସା ପରେ ପଶଂସା । ଆଗକୁ ସହୀଦଙ୍କ ପରିବାର ପାଇଁ ମଧ୍ୟ କିଛି କରିବାକୁ ଲକ୍ଷ୍ୟ ରଖିଥିବା କୁହନ୍ତି ଅଭିଷେକ।