ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ ! କାଲିଠାରୁ ନିଖୋଜ ଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ

681

କନକ ବ୍ୟୁରୋ : ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ୧୯ ଘଣ୍ଟାର ଅପରେସନ ପରେ ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି । କାଲିଠାରୁ ନିଖୋଜ ଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ । ମୁକୁଳା ଡ୍ରେନରେ ଭାସିଯାଇ ନିଖୋଜ ଥିଲେ । ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜା ଘରୁ ବାହାରି ସଂସ୍କୃତ ଟ୍ୟୁସନ୍‌ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ । ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍‌ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ । ଏମିତିକି ଟ୍ୟୁସନ୍ ଯିବା ବାଟରେ ପଡ଼ୁଥିବା ନାଳରେ ବର୍ଷା ଜଳର ସୁଅ ପଡ଼ିଥିବା ବୋଲି ମା’ ରାଜାକୁ ସତର୍କ କରାଇଥି‌ଲେ ।

କିନ୍ତୁ ଡ୍ରେନ୍‌ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍‌ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ । ଶତାବ୍ଦୀନଗର ଲେନ୍‌-୭ ଦେଇ ଯାଇଥିବା ବିଏମ୍‌ସିର ଡ୍ରେନ୍‌ ନମ୍ବର-୮ରେ ରାଜା ଭାସି ଯାଇଥିଲେ । ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି କ୍ୟାଟରିଂ କାମରେ ଆସିଥିବା କିଛି ପିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଡ୍ରେନ୍‌କୁ ଡେଇଁଥିଲେ। ମାତ୍ର ପ୍ରଖର ସ୍ରୋତରେ ସେମାନେ ରାଜାକୁ ଉଦ୍ଧାର କରିବାର ବିଫଳ ହୋଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ରାଜାକୁ ଖୋଜାଖୋଜି କରିଥିଲେ। ବରମୁଣ୍ଡାରୁ ପଞ୍ଚସଖାନଗର ପର୍ଯ୍ୟନ୍ତ ପ୍ରାୟ ୧୦ କିମି ଡ୍ରେନ୍‌ରେ ପଶି ବହୁ ଖୋଜାଖୋଜି ପରେ ବି ରାଜାକୁ ପାଇନଥିଲେ।