ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ମାରିଦେଲେ ଶ୍ୱଶୁରଘର ଲୋକ : ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ସ୍ତ୍ରୀର ଶରୀରକୁ ମୋଡ଼ାମୋଡ଼ି କରି ସୁଟକେଶରେ ଭର୍ତ୍ତୀ କରି ରାଜରାସ୍ତାରେ ଫୋପାଡ଼ିଲା ସଇତାନ୍ ସ୍ୱାମୀ ।

1,998

ସମାଜରୁ କିଛି କଳୁଷିତ ପ୍ରଥା ଧିରେ ଧିରେ ଉଭେଇ ଯାଉଥିବା ବେଳେ ଏଯାବତ୍ ଯୌତୁକ ନାମକ ପ୍ରଥାଟି ସନ୍ତରଣ ଅବସ୍ଥାରେ ରହିଛି । ଆଉ ଏହି ଯୌତୁକ ପ୍ରଥା ଯେ କେତେ ନୀରିହାଙ୍କ ଜୀବନ ନେଲାଣି ତାହାର ହିସାବ ନାହିଁ । ମଣିଷ ଯେତେ ଆଧୁନିକ ଦୌଡ଼ରେ ସାମିଲ୍ ହେଲେ ବି ଏଭଳି ଅମାନବୀୟ କାର୍ଯ୍ୟରୁ ନିବୃତ ରହିପାରୁନାହିଁ । ବର୍ତ୍ତମାନ ଗାଜିଆବାଦରୁ ଏଭଳି ଏକ ଲୋମଟାଙ୍କୁରା ଖବର ଆସିଛି , ଯେଉଁଠି କେଇ ଟଙ୍କା ପାଇଁ ମାନବିକତାକୁ ଭୁଲି ବଧୂହତ୍ୟାକାରୀ ସାଜିଛନ୍ତି ଶ୍ୱଶୁରଘର ଲୋକ । ଦୁଃଖର କଥା ହେଉଛି ଗର୍ଭବତୀ ଅବସ୍ଥାରେ ମହିଳାଙ୍କୁ ମାରିବାର କୁକର୍ମ କରିଛି ସଇତାନ ସ୍ୱାମୀ ।

ଗତବର୍ଷ ସ୍ୱାମୀ ଶିବମଙ୍କୁ ପ୍ରେମବିବାହ କରିଥିଲେ ମାଳା । ଶିବମଙ୍କ ପରିବାରର ବିନା ସହମତିରେ ଏହି ବିବାହ ହୋଇଥିଲା । ଏକ ଲୁଗା ଶୋ’ରୁମରେ ସେଲସମ୍ୟାନ୍ ଭାବେ କାମ କରୁଥିବା ଶିବମଙ୍କ ହାତ ଧରି ମାଳାଙ୍କ ସଂସାର ଶୁରୁଖୁରୁରେ ଚାଲିଥିଲା । ହେଲେ ବିବାହର କିଛି ମାସ ପରେ ମଉଳିଯାଇଥିଲା ସ୍ୱାମୀର ପ୍ରେମ । ଦମ୍ପତିଙ୍କୁ ଶ୍ୱଶୁରଘରଲୋକ ଗ୍ରହଣ କରିଥିଲେ ବି ବୋହୂକୁ ପ୍ରତିଦିନ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା । ପେଟର ୫ ମାସର ଗର୍ଭକୁ ଧରି ମାଳା ପ୍ରତିଦିନ ନିର୍ଯାତନା ସହୁଥିଲେ । ହେଲେ ଅତ୍ୟାଚାର ଏତେ ବଢିଗଲା ଯେ ୨୩ ବର୍ଷୀୟ ମାଳାଙ୍କୁ ଜୀବନରୁ ମାରିବାକୁ ପଛାଇଲେ ନାହିଁ ଶାଶୁଘର ପରିବାର । ବିବାହରେ ବାପଘରୁ ଉପହାରରେ ଆଣିଥିବା ସୁଟକେଶରେ ମୋଡ଼ାମୋଡ଼ି କରି ଗର୍ଭବତୀ ସ୍ତ୍ରୀକୁ ପୁରାଇଲା ସ୍ୱାମୀ । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ମାଳାକୁ ଶବ କରିଦେଲା ସଇତାନ ସ୍ୱାମୀ । ଏହାପରେ ଶବଭର୍ତ୍ତୀ ସୁଟକେଶକୁ ଏନଏଚ୍୍ ୨୪ ଇନ୍ଦ୍ରପୁରମ୍ ରାଜରାସ୍ତାରେ ଛାଡ଼ି ପୁଲିସ୍ ସନ୍ଦେହରୁ ବଂଚିବା ପାଇଁ ନିଖୋଜ ଏତଲା ଦେଲା ଶିବମ୍ । ସ୍ଥାନୀୟ ଲୋକଙ୍କ ସୂଚନାରେ ବୁଧବାର ରାଜରାସ୍ତାରୁ ଉକ୍ତ ସୁଟକେଶକୁ ଉଦ୍ଧାର କରି ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିଛି ପୋଲିସ୍ ।