କନକ ବ୍ୟୁରୋ : ରାଜବାଟୀରୁ ଚୋରି କରିବାକୁ ଆସି ଧରାପଡିଗଲା ବିହାରୀ ଚୋର । ଆଉ ଚୋରକୁ ଧରିବା ପରେ ସୀମା ଟପିଗଲା ସୁରକ୍ଷାକର୍ମୀଙ୍କ ନିର୍ଯାତନା । ରାଜବାଟୀର ସୁରକ୍ଷାକର୍ମୀ ପ୍ରଥମେ ନିସ୍ତୁକ ମାଡ ମାରି ଦରମରା କରିଦେଲେ । ଏହାପରେ ଅତି ଅମାନବୀୟ ଢଙ୍ଗରେ ହାତଗୋଡ ବାନ୍ଧି ଏକ ସାଇକେଲରେ ଥାନାକୁ ନେଇଗଲେ ।

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରାଜା ରାଜୁଡା କିମ୍ବା ଇଂରେଜ ଶାସନ ସମୟ ଭଳି ସୁରକ୍ଷାକର୍ମୀ ଆଇନକୁ ନିଜ ହାତକୁ ନେଇ ଚୋରକୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି । ଗତ ରାତିରେ କିଛି ବିହାରୀ ଚୋର ରାଜବାଟୀକୁ ଲୁଟ ଉଦ୍ଦେଶ୍ୟରେ ପଶିଥିଲେ । ହେଲେ ସୁରକ୍ଷାକର୍ମୀଙ୍କ ନଜର ପଡିବାରୁ ଅନ୍ୟମାନେ ଫେରାର ହୋଇଥିବା ବେଳେ ଜଣେ ଧରାପଡି ଯାଇଥିଲା । ଏହାପରେ ତାକୁ ନିସ୍ତୁକ ମାଡ ମାରି ହାତ ଗୋଡ ବାନ୍ଧି ଦିଆଯାଇଥିଲା ।

ଅଚେତ ଅବସ୍ଥାରେ ସଂପୃକ୍ତ ଚୋରକୁ ଅତି ଅମାନବୀୟ ଢଙ୍ଗରେ ସାଇକେଲରେ ବୋହି ଭବାନୀପାଟଣା ଟାଉନ ଥାନାକୁ ନେଇ ପୋଲିସରେ ଜିମା ଦିଆଯାଇଛି । ଚୋର ନିକଟରୁ ଗୋଟିଏ ବ୍ୟାଗ ଜବତ ହୋଇଛି । ବ୍ୟାଗରେ ମୋବାଇଲ ଚାର୍ଜର, ଗୋଟଏ ପ୍ଲାସ ବା ଚିମୁଟା, ୩ଟି ସ୍କୃଡ୍ରାଇଭର ଜବତ ହୋଇଛି । ଏଠି ପ୍ରଶ୍ନ ଉଠୁଛି ଆଇନକୁ ହାତକୁ ନେବା ପାଇଁ ରାଜବାଟୀର ସୁରକ୍ଷାକର୍ମୀଙ୍କୁ କିଏ ଅନୁମତି ଦେଲା ? ଚୋରକୁ ଦଣ୍ଡ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ହେଲେ ସୁରକ୍ଷାକର୍ମୀ ଆଇନକୁ ମୋଡିମକଚି ନିଜେ କାହିଁକି ଦଣ୍ଡ ଦେଲେ ?