ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ : ମମିତାଙ୍କର ନୁହେଁ ତ ଏହି ମୃତଦେହ ?

ଦୁର୍ଗନ୍ଧ ବାହାରୁଥିବାରୁ ମୃତଦେହଟି ଅନେକ ଦିନର ହୋଇଥିବା ସନ୍ଦେହ

320

କନକ ବ୍ୟୁରୋ : କଳାହାଣ୍ଡି ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଘଟଣାସ୍ଥଳରୁ ସୁନା ଚେନ ଓ ପାଉଂଜି ମିଳିଥିବା ସୂଚନା ମିଳିଛି । ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନେଇ ସନ୍ଦେହ ବଢୁଥିବା ବେଳେ ଆଜି ସକାଳ ମହାଲିଙ୍ଗ ସ୍ଥତ ଷ୍ଟାଡିୟମରେ ମାଟି ଖୋଳା ଯାଇଥିଲା । ଏହାର କିଛି ସମୟ ପରେ ଏଠାରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ଘଟଣାସ୍ଥଳରୁ କିଛି ସାମଗ୍ରୀ ସମେତ କିଛି ପୋଡା କାଠ ଓ ପୋଡା ପଟା ବି ଉଦ୍ଧାର କରାଯାଇଥିଲା । ଷ୍ଟାଡ଼ିୟମର ଦକ୍ଷିଣ ପୂର୍ବ କୋଣରେ ମାଟି ଖୋଳା କାମ ଆରମ୍ଭ କରିବାର କିଛି ସମୟ ପରେ ସେଠାରେ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ମୃତଦେହଟି ମମିତା ମେହେରଙ୍କ ନାଁ ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମୃତଦେହ ଚିହ୍ନଟ କରିବା ପାଇଁ ପୋଲିସ ଡିଏନଏ ପରୀକ୍ଷା କରିବାକୁ ନିଷ୍ପତି ନେଇପାରେ । ଷ୍ଟାଡିୟମରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଷ୍ଟାଡିୟମରେ ଜଣଙ୍କୁ ମାରିକି, ପୋଡିକି ପୋତି ଦିଆଯିବ । ତାହା କିଭଳି କେହି ଜାଣିପାରିଲେନି ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବ ବୋଲି ଲାଗୁନାହିଁ । ମୃତଦେହ ମିଳିବା ପରେ ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପରେ ପୋଲିସ କିଭଳି ଜାଣିଲେ ଏହି ଷ୍ଟାଡିୟମରେ ଠିକ୍ ସେହି ଜାଗାରେ ମୃତଦେହ ପୋତାହୋଇଛି । ସକାଳୁ ମମିତାଙ୍କୁ ମାରିପୋତି ଦିଆଯାଇଥିବା ସନ୍ଦେହ କରି ଜେସିବି ସାହାଯ୍ୟରେ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଏବେ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ମିଳିଥିବା ଶବଟିକୁ ପ୍ରଥମେ ପୋଡି ପରେ ଜେସେବି ସାହାଯ୍ୟରେ ପୋତା ଯାଇଥିବା ସନ୍ଦେହ ପ୍ରକାଶ ପାଇଛି ।

ସେପଟେ, ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ମନ୍ତ୍ରୀରୁ ନେଇ ଅଫିସର ସମସ୍ତଙ୍କ ସହ ଥିଲା ଯିବାଆସିବା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରଗୁଡ଼ିକରେ ମନ୍ତ୍ରୀମାନଙ୍କୁ ମନ କଲେ ଡାକୁଥିଲେ । ମନ୍ତ୍ରୀମାନେ ବି ଘଣ୍ଟା ଘଣ୍ଟା ସମୟ ଦେଉଥିଲେ । ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ସ୍କୁଲ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କ ବକ୍ତବ୍ୟ ବି ବେଶ୍‌ ଦମଦାର ରହୁଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବେଶ୍‌ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍କୁଲ ମାଲିକଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଆଉ ଏକ ଭିଡିଓରେ ହେଲିକପ୍ଟରରେ ଗସ୍ତ କରିଥିଲେ ରାଜ୍ୟର ପାୱାରଫୁଲ ମନ୍ତ୍ରୀ ପ୍ରତାପ ଜେନା । ତାଙ୍କ ଅଭିଭାଷଣରେ ସେ କହିଥିଲେ, ମହାଲିଙ୍ଗ କଲେଜକୁ ଆସିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାର ଅନୁରୋଧ କରିଥିଲେ ଓ ସେ ଆସିଥିବା କହିଥିଲେ । ଏପରିକି ମନ୍ତ୍ରୀ ପ୍ରତାପ ଜେନା ମହାଲିଙ୍ଗ ଘରୋଇ ପ୍ରତିଷ୍ଠାନକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେଭେନ୍ସା ସହ ତୁଳନା କରିଥିଲେ । ମୁଖ୍ୟତଃ ସ୍କୁଲ୍‌ ମାଲିକ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବେଶ୍‌ ଘନିଷ୍ଠତା ରହିଥିଲା । ଏହାସହ ସେ ଆଉ ବଡ଼ବଡ଼ିଆ ଲୋକଙ୍କ ସହ ବି ସଂପର୍କରେ ଥିଲେ । କଳାହାଣ୍ଡିରେ ଯେଉଁ ଜନପ୍ରତିନିଧି ପାୱାର କରିଡରରେ ରହିଲେ ସେ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ।

ସ୍କୁଲରେ ସେକ୍ସ ସ୍କାଣ୍ଡାଲ !
ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ। ହସ୍ତଗତ ହୋଇଥିବା ଅଡିଓ ଏବଂ ବିରୋଧୀ କଂଗ୍ରେସ ନେତାଙ୍କ ଅଭିଯୋଗରୁ ଜଣାଯାଏ ଯେ ସ୍କୁଲର ମାଲିକ ଗୋବିନ୍ଦ ହିଁ ସବୁର ମାଷ୍ଟରମାଇଣ୍ଡ । ସ୍କୁଲରେ ଛାତ୍ରୀଙ୍କୁ ଫୁସୁଲାଇ ଯୌନ ଶୋଷଣ କରୁଥିଲେ । କାହାକୁ ମାର୍କ ବଢ଼ାଇଦେବାର ପ୍ରତିଶ୍ରୁତି ତ ଆଉ କାହାକୁ ଆଉ କିଛି ପ୍ରତିଶ୍ରୁତି । ଏମିତି କାରନାମା ପୂର୍ବରୁ ବି ସ୍କୁଲରେ ହେଉଥିବା କିଛି କିଛି ସାମ୍ନାକୁ ଆସିଥିଲା। ଯାହାକି ପୂର୍ବରୁ ଚପାଇବାରେ ସଫଳ ହୋଇଥିଲେ ସ୍କୁଲ ମାଲିକ । ସ୍କୁଲ ମାଲିକ ଚଳାଇଥିବା କାରନାମା ସଂପର୍କରେ ମମିତାଙ୍କ ପାଖରେ ପ୍ରମାଣ ଥିଲା । ମମିତା ନିଜ ସ୍କୁଲର ମାଲିକ ତଥା ସଭାପତିଙ୍କୁ ବରବାଦ କରିଦେବାର ଧମକ ବି ଦେଇଥିଲେ । ଖରାପ କାମର ପର୍ଦ୍ଦାଫାସ କରିବାକୁ ଫେକ୍‌ ଆଇଡି କରି ସଦସ୍ୟ ସଂଗ୍ରହ ଚାଲିଥିଲା । କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ମମିତା ନିଖୋଜ ହୋଇଯାଇଥିଲେ । ପୂରା ଘଟଣାର ଟିକିନିଖି ତଦନ୍ତ କରାଗଲେ ସ୍କୁଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇପାରିବ।

କାହିଁକି କୋର୍ଟଚାଲାଣ କରିନଥିଲା ପୁଲିସ୍‌ ?
ଗୋବିନ୍ଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଇପିସି ୩୬୬ ଧାରାରେ ରୁଜୁ ହୋଇଥିଲା ମାମଲା । ଏଥିରେ ଦଶବର୍ଷର ଜେଲ ଦଣ୍ଡାଦେଶ ଥିବାରୁ ଥାନାରୁ ନୋଟିସ୍‌ ଦେଇ ଛାଡ଼ି ପାରିବ ନାହିଁ ପୁଲିସ । ତେଣୁ କେଉଁ କାରଣରୁ ୧୪ ତାରିଖଠାରୁ ରବିବାର ରାତି ପର୍ଯ୍ୟନ୍ତ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ପୁଲିସ ? ତାଙ୍କୁ କାହିଁକି କୋର୍ଟଚାଲାଣ କରି ରିମାଣ୍ଡରେ ଆଣିନଥିଲା ପୁଲିସ? ରାତିରେ ବାରାକ୍‌ରେ ଏତେ ପୁଲିସ କର୍ମଚାରୀ ଥାଇ କେମିତି ଚକମା ଦେଇ ଫେରାର ମାରିଲେ ମୁଖ୍ୟ ଅଭିଯୁକ୍ତ ? ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି । ଏ ପଟେ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ଘନିଷ୍ଠତାକୁ ନେଇ ବିରୋଧୀ ନା ନା ଅଭିଯୋଗ ଉଠାଇଲେଣି ।

ଫେରାର ସମୟରେ ପାୱାର୍‌କଟ୍‌
ଗୋବିନ୍ଦଙ୍କୁ ପୁଲିସ ଅଟକ ରଖି ଜେରା କରୁଥିଲା । ରାତିରେ ବାରାକରେ ଥିବା ସମୟରେ ହଠାତ୍‌ କିଛି ସମୟ ପାୱାରକଟ ହୋଇଯାଇଥିଲା । ଏହାର ସୁଯୋଗ ନେଇ ଗୋବିନ୍ଦ ଫେରାର ମାରିଥି‌ଲେ। ନିକଟରେ ଥିବା ବାଡ଼ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି ।