କନକ ବ୍ୟୁରୋ: ପ୍ରେମକୁ ପରିବାର ଲୋକେ ବିରୋଧ କରିବାରୁ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । ଏହି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳର ସୁନାପଲ୍ଲୀ ଗାଁରେ । ଆଜି ସକାଳେ ସୁନାପଲ୍ଲୀ ହରିଜନ ସାହି ନିକଟରେ ଥିବା ଏକ ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକେ ତାଙ୍କ ପ୍ରେମକୁ ବିରୋଧ କରିବାରୁ ଦୁଇ ଜଣ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ସେପଟେ, ପ୍ରେମରେ ବିଫଳ ହୋଇ ବିଷ ପିଇ ଜୀବନ ହାରିଲେ ନାବାଳିକା । ତାହା ପୁଣି ପ୍ରେମିକଙ୍କ ଆଗରେ। ଫିଲ୍ମର ଦୃଶ୍ୟ ଭଳି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ। ପୁଲିସ ମୃତ ନାବାଳିକାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ସୁନ୍ଦରଗଡ଼ ବଡ଼ଗାଁ ଥାନା ଅନ୍ତର୍ଗତ ତେଙ୍ଗରାବାହାଲ ଗାଁର ଜନୈକା ନାବାଳିକା ରାଜଗାଙ୍ଗପୁର ଡାଲମିଆଁ କଲେଜରେ +୨ରେ ପାଠ ପଢ଼ୁଥିଲେ।ପ୍ରେମିକଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ ନାବାଳିକା।କିନ୍ତୁ ସେ ତାଙ୍କୁ ଏଡ଼ାଇ ଯାଇଥିଲେ। କୌଣସି କାରଣରୁ ବୋଧହୁଏ ସେଭଳି ପରିସ୍ଥିତିକୁ ନାବାଳିକା ଜଣକ ଆଶଙ୍କା କରୁଥିଲେ ଏବଂ ନିଜ ସାଥିରେ ଏକ ବିଷ ଭରା ବୋତଲ ଆଣିଥିଲେ। ପ୍ରେମିକଙ୍କ ଏଭଳି ଅଣଦେଖାରୁ ନିରାଶ ହୋଇ ନାବାଳିକା ଜଣକ ସେହି ବିଷ ପିଇ ଦେଇଥିଲେ।