କନକ ବ୍ୟୁରୋ : ଟ୍ରେନ ଟ୍ରାକରେ କଟି ଦୁଇ ଜଣଙ୍କ ମୃତ୍ୟୁ । ଜଣେ ସବିରା ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡିଥିଲେ । ଅନ୍ୟଜଣେ ଟ୍ରେନ ଲାଇନ ପାର୍ ସମୟରେ ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଜଣେ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ଡବ । ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ରାତିରୁ ହୋଟେଲରୁ ବାହାରକୁ ଯାଇଥିଲେ । ବିଳମ୍ବିତ ରାତିରେ ଡାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

Advertisment

ସେପଟେ, ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କାଦିର । ସେ ନିଜ ସାଥୀମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ ଯାଉଥିଲେ । ଟ୍ରେନରେ ସିଟ ନ ଥିବା କାରଣରୁ ଦ୍ୱାର ସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତ ରାତିରେ ସୋର ଷ୍ଟେସନର ଅନତି ଦୂର ତଳନଗର ନିକଟରେ ଖସି ପଡ଼ିଥିଲେ । ସାଥୀମାନେ ଟ୍ରେନର ଚେନକୁ ଟାଣି ଗାଡି ଅଟକାଇବା ସହ ପୁଲିସକୁ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।