ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ । ରବିବାର ଦିନ ଗୋଧସ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଦୁଇଜଣ

361

କନକ ବ୍ୟୁରୋ : ନୂଆପଡ଼ା ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ । ରବିବାର ଦିନ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଏହି ପ୍ରେମୀଯୁଗଳ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରେମୀଯୁଗଳ ଛତିଶଗଡ଼ ଅଂଚଳର ବୋଲି ସୂଚନା ଦେଇଛି ପୋଲିସ । ୨ଦିନ ହେବ ଜଳପ୍ରପାତରୁ ଦୁଇଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ ରବିବାର ସକାଳେ ଧରମବନ୍ଧା ଥାନାକୁ ଭରୁଆମୁଣ୍ଡା ଗ୍ରାମର କିଛି ଲୋକ ଖବର ଦେଇଥିଲେ ଯେ ଜଳପ୍ରପାତ ଉପରେ ଥିବା ଏକ ଗଛରେ ପ୍ରେମୀଯୁଗଳଙ୍କ କିଛି ସାମଗ୍ରୀ ରହିଛି । ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ସେଠାରୁ ଏକ ଶାଗୁଆ ସାର୍ଟ, ଫୁଲ୍‌ ପ୍ୟାଣ୍ଟ ଓ ହାତ ଘଣ୍ଟା, ଟର୍ଚ୍ଚ ଲାଇଟ, ଜରିରେ ଥିବା ଆତ୍ମହତ୍ୟା ନୋଟ୍‌ ଜବତ କରିଥିଲେ । ଏହି ଆତ୍ମହତ୍ୟା ନୋଟ୍‌ରେ ଲେଖାଯାଇଛି ଯେ ଉଭୟ ଉଭୟଙ୍କୁ ପ୍ରେମ କରୁଛୁ । କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିବାରୁ ଆମେ ଆତ୍ମହତ୍ୟା କରୁଛୁ । ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା କହିଛନ୍ତି ୨ଜଣ ଛତିଶଗଡ଼ ପିପେଲଛେଣ୍ଡ ଥାନା ଥୁଆପାନୀ ଅଞ୍ଚଳର ବୋଲି ଜଣାପଡ଼ିଛି ।

ତେବେ ଗୋଧସ୍ ଜଳପ୍ରପାତରେ ବାରମ୍ବାର ଏଭଳି ଘଟଣା ଯୋଗୁଁ ଭୟର ବାତାବରଣ ସୃଷ୍ଟି ହେଉଛି । ଲୋକମାନେ ଏହାକୁ ମୃତ୍ୟୁର ଜଳପ୍ରପାତ ବୋଲି କହିବା ଆରମ୍ଭ କଲେଣି । ଜିଲ୍ଲା ପ୍ରଶାସନ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ପ୍ରତିବର୍ଷ ଲୋକଙ୍କ ଜୀବନ ଯାଉଛି । ଜଳପ୍ରପାତଟି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଆସୁଛି । ତେଣୁ ନୂଆପଡ଼ା ବନ୍ୟଜନ୍ତୁ ବିଭାଗର ଡିଏଫଓ ଗୋଧସ୍‌ ଜଳପ୍ରପାତରେ ବ୍ୟାରିକେଟ୍‌ କରି ନିରାପଦ ଗାଧୁଆ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ନଚେତ ଏହି ଜଳପ୍ରପ୍ରାତକୁ ଯାତାୟାତ ନିଷେଧ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।