କନକ ବ୍ୟୁରୋ: ଗାଁକୁ ନେଇ ଭାରତ । ଭାରତର ଆତ୍ମା ରହିଛି ଗାଁରେ । ପ୍ରତି ଗାଁର ଭିନ୍ନ ଭିନ୍ନ ପରମ୍ପରା ରହିଥିବା ବେଳେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଏ । ତେଣୁ ପ୍ରତି ଗାଁର ନିଜର ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି । ନିଜ ଗାଁକୁ ସଫାସୁତରା ଓ ପ୍ରଦୂଷଣ ମୁକ୍ତ ରଖିବା ଲାଗି ଗାଁର ଲୋକେ ବେଶ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ମୟୂରଭଞ୍ଜରେ ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦା ସ୍ୱଚ୍ଛତା ଦିଗରେ ବେଶ ସଚେତନ । ନିଜ ଚେଷ୍ଟା ମାଧ୍ୟମରେ ହିଁ ନିଜ ଗାଁକୁ ପ୍ରଦୂଷଣ ମୁକ୍ତ ରଖିବା ସହ ନିଜ ପାଇଁ ଏକ ସୁସ୍ଥ ପରିବେଶ ମଧ୍ୟ ସୃଷ୍ଟି କରିପାରିଛନ୍ତି ।

Advertisment

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବୋବେଇ ଜୋଡା ଗାଁ । ଏହି ଗାଁଟି ରାଇରଙ୍ଗପୁର ସହରରୁ ୪୩ କିଲୋମିଟର । ଏହି ଗାଁରେ ବସବାସ କରୁଥିବା ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । କୁହାଯାଏ ଗାଁ ପରିମଳ ଜଣାପଡ଼େ ଧୋବାତୁଠରୁ । ହେଲେ ବୋବେଇ ଯୋଡ଼ାଗାଁର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସେମାନଙ୍କ ଗାଁ ଦାଣ୍ଡ ଓ ଘର କାନ୍ଥରୁ ଜଣାପଡ଼େ । ଚାଳ, ଖବରା ଓ ଆଜବେଷ୍ଟର ତିଆରି ମାଟି କାନ୍ଥ ଘର । ଏହି ଘର କାନ୍ଥରେ ଅଙ୍କା ହୋଇଛି ସୁନ୍ଦର ସୁନ୍ଦର ଚିତ୍ର ଓ ନିଆରା କଳାକୃତି । କିଏ ଫୁଲ ଆଙ୍କିଛି ତ ଆଉ କିଏ ଗଛ ଲତାର ଝୋଟି । ଚିତ୍ର ଆଙ୍କିବା ପାଇଁ ଗାଁର ଯୁବତୀ ଓ ମହିଳାମାନେ ଝରଣା ଓ ପାହାଡ଼ରୁ ମାଟି ଆଣି ପେଜ ଓ ଅଠା ମିଶାଇ ନିଜେ ରଙ୍ଗ ପ୍ରସ୍ତୁତ କରନ୍ତି । ତୁଳି ସାହାଯ୍ୟରେ ଆଙ୍କିଥାନ୍ତି ଆକର୍ଷଣୀୟ କଳାକୃତି । ଗାଁର ସ୍ୱଚ୍ଛତା ପରିମଳ ସାଙ୍ଗକୁ ସଂସ୍ମୃତି ପରମ୍ପରା ଖୁବ ନିଆରା । ସ୍ୱଚ୍ଛତା ଦିଗରେ ସମସ୍ତଙ୍କୁ ସଚେତନ କରାଇବାକୁ ଗାଁରେ ପ୍ରତି ବର୍ଷ ପାଳିତ ହୁଏ ପାତାପର୍ବ । ଏହି ପର୍ବରେ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥାନ୍ତି ଗ୍ରାମବାସୀ ।