କନକ ବ୍ୟୁରୋ: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ଘର ଓ ଟ୍ରି-ହାଉସ, ସାଧାରଣରେ ଉକ୍ରଣ୍ଠା ବଢାଇ ଦେଇଛି । ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ଏହି ଖବର ସାମ୍ନାକୁ ଆସିଛି । ଆଉ ଚର୍ଚ୍ଚା ହେଉଛି ଜଣେ ରାଜନେତା ନିଜ ସରକାରୀ କ୍ୱାର୍ଟରକୁ କାହିଁକି ଏଭଳି ରୂପାନ୍ତରଣ କରିଥିଲେ? ଏଭଳି ବେଆଇନ ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି? ଗଣମାଧ୍ୟମରେ ତମ୍ବିତୋଫାନ ଓ ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ପରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ପ୍ରଣବ ଏଥିପାଇଁ ଜିଏ ବିଭାଗଠାରୁ ଅନୁମତି ନେଇଥିବାର କିଛି ସୂଚନା ନାହିଁ । ସରକାର ଏ ସଂପର୍କରେ ଅନୁଧ୍ୟାନ କରୁଛନ୍ତି । ସଂପୂର୍ଣ୍ଣ ଅବଗତ ହେବା ପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନେବେ ।

Advertisment

ମିଳିଥିବା ସୂଚନା ଅନୁସାରେ ପ୍ରଣବଙ୍କ ବେଆଇନ ନିର୍ମାଣ!

  • ରାଜଭବନ ସମ୍ମୁଖ ୟୁନିଟ୍- ୬ ଅଞ୍ଚଳରେ ପ୍ରଣବଙ୍କୁ ଦିଆଯାଇଥିଲା VIII-MR1 କ୍ୱାର୍ଟର
  • ୨୦୧୯ ଜୁନ୍ ୧୯ରେ ଘର ଆବଣ୍ଟନ ହୋଇଥିଲା, ଅଗଷ୍ଟ ୧୭ରେ ଦଖଲକୁ ନେଇଥିଲେ
  • ୩ ହଜାର ୭୦୦ ବର୍ଗଫୁଟର କୋଠା ସହ ଆଉଟହାଉସ ଓ ଗ୍ୟାରେଜ ମଧ୍ୟ ଥିଲା
  • କେବଳ କ୍ୟାବିନେଟ୍ ମନ୍ତ୍ରୀ ଓ ଆଇଏଏସ ଅଧିକାରୀଙ୍କୁ ମିଳିଥାଏ ଟାଇପ- ୮ କ୍ୱାର୍ଟର
  • ପାଖରେ ଥିବା ଅନ୍ୟ ଦୁଇଟି କ୍ୱାର୍ଟର VII-MR 2 ଓ VII-R1 କ୍ୱାର୍ଟରର ୪୦% ଜାଗାକୁ ମିଶାଇ ପାଚେରୀ ତିଆରି କରିଥିବା ଅଭିଯୋଗ
  • ଦୁଇରୁ ଅଢେଇ ହଜାର ବର୍ଗଫୁଟ ଅଂଚଳେର ବିଶାଳ ବଙ୍ଗଳା ନିର୍ମାଣ କରିଥିବା ବେଳେ ଛାଡିବା ପୂର୍ବରୁ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି

ଜିଏ ବିଭାଗର ପୂର୍ବତନ ଅଧିକାରୀଙ୍କ କହିବା ଅନୁସାରେ ସ୍ୱତନ୍ତ୍ର ଆବାସିକ ସଂଶୋଧନ ରୁଲ୍ସ- ୧୯୫୯ ଧାରା ୩୦ (ଖ) ଓ ଧାରା ୩୧ରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ହୋଇପାରିବ ।

କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ?

  • ବେଆଇନ ନିର୍ମାଣ ପାଇଁ ଓପିଡିଆର ଆକ୍ଟରେ ସାର୍ଟିଫିକେଟ୍ କେସ ହୋଇପାରିବ
  • ଧାରା ୩୧ ଅନୁସାରେ ଆଦାୟ କରାଯାଇପାରିବ ଜରିମାନା
  • ଘରଭଡା ବାବଦରେ ଦେଉଥିବା ଟଙ୍କାର ୫ ଗୁଣା ଆଦାୟ କରିହେବ
  • ବେଆଇନ୍ ନିର୍ମାଣ ଚହ୍ନଟ ହେବା ଦିନରୁ ଜରିମାନା ଆଦାୟ ପାଇଁ ନିୟମ ରହିଛି

କାର୍ଯ୍ୟାନୁଷ୍ଠାନ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସଂକେତ ପରେ ଅନେକ ପ୍ରଶ୍ନ ଉଠୁଛି । କେବଳ ବେଆଇନ ନିର୍ମାଣ ଓ ଭାଙ୍ଗିଦେବା ପାଇଁ କାର୍ଯ୍ୟାନୁଷ୍ଠାନ ହେବ? ନା ଭୂତଳ ଘର ଓ ଟ୍ରି-ହାଉସରେ ଚାଲିଥିଲା କଣ, ତାର ତଦନ୍ତ କରି ଅପରାଧିକ ମାମଲା ହେବ? ତାକୁ ନେଇ ମଧ୍ୟ ଉକ୍ରଣ୍ଠା ବଢିବାରେ ଲାଗିଛି ।