ଦିନେ ଡଙ୍ଗାରେ ନଦୀ ପାର କରାଉଥିଲେ, ଏବେ ଯାତ୍ରୀଙ୍କ ପାଇଁ କଲେ ପୋଲ । ଚର୍ଚ୍ଚାରେ ନବରଙ୍ଗପୁରର ନାଉରିଆ ଜୟଦେବ ଭତ୍ରା ।

82

କନକ ବ୍ୟୁରୋ: ଦିନେ ଯେଉଁ ନଦୀରେ ଦେଶୀ ଡଙ୍ଗାର ନାଉରିଆ ଥିଲେ, ଆଜି ସେଇ ନଦୀ ଉପରେ ବାଉଁଶ ପୋଲ ତିଆରି କରିଛନ୍ତି ଜଣେ ନାଉରିଆ । ନିଜସ୍ୱ ଅର୍ଜିତ ସମ୍ପତିକୁ ବନ୍ଧକ କରି ପ୍ରାୟ ଏକ ଲକ୍ଷ ଟଙ୍କାରେ ଜନସାଧାରଣଙ୍କ ପାଇଁ ବାଉଁଶ ପୋଲ ନିର୍ମାଣ କରିଛନ୍ତି ଜଣେ ପରିଣତ ବୟସର ବୃଦ୍ଧ । ନବରଙ୍ଗପୁର କୋଶାଗୁମୁଡା ବ୍ଲକରୁ ଆସିଥିବା ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇନ୍ଦ୍ରାବତୀ ନଦୀ ଉପରେ ବାଉଁଶ ପୋଲ । ଯେଉଁ ବାଉଁଶ ପୋଲର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହାକୁ ତିଆରି କରିଛନ୍ତି ନଦୀରେ ଡଙ୍ଗା ଚଳାଇ ଯାତ୍ରୀ ପାରି କରାଉଥିବା ନାଉରିଆ ଜୟଦେବ ଭତ୍ରା । ନିଜ ଜମି ବନ୍ଧକ ରଖି ସେଇ ଟଙ୍କାରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବାଉଁଶ ପୋଲକୁ ତିଆରି କରାଇଛନ୍ତି କୋଷାଗୁମୁଡ଼ା ବ୍ଲକ କଂଟାସରୁଗୁଡା ଗାଁର ଜୟଦେବ । ସେ ଯୁବାବସ୍ଥାରେ ଡଙ୍ଗା ଚଳାଇ ଯାତ୍ରୀଙ୍କୁ ଇନ୍ଦ୍ରାବତୀ ପାରି କରାଉଥିଲେ । ହେଲେ ଏବେ ଆଉ ପାରୁନାହାନ୍ତି, କିନ୍ତୁ ଲୋକଙ୍କୁ ନଦୀ ପାରି କରାଇବାର ବିକଳ୍ପ ବ୍ୟବସ୍ଥା କରିଦେଇଛନ୍ତି ।

ଇନ୍ଦ୍ରାବତୀ ନଦୀ, କଂଟାସରୁଗୁଡା ଗାଁ ପାଖରେ ନବରଙ୍ଗପୁର-କୋରାପୁଟ ଜିଲ୍ଲା ଭାଗ କରିଛି । ନଦୀ ଏପଟେ ରହୁଥିବା କୋଷାଗୁମୁଡ଼ା ବ୍ଲକର ପ୍ରାୟ ୫୦ ଖଣ୍ଡ ଗାଁର ଲୋକେ ନଦୀ ଆରପଟେ ଥିବା କୋରାପୁଟର କୋଟପାଡ ସହର ଉପରେ ନିର୍ଭରଶୀଳ । ରାତି ପାହିଲେ ଶହଶହ ଲୋକ ଇନ୍ଦ୍ରାବତୀ ପାରିହୋଇ କୋଟପାଡକୁ ଯାଇଥାନ୍ତି । ହେଲେ ନଦୀ ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ ଅସ୍ଥାୟୀ ବାଉଁଶ ପୋଲଟିଏ କରିଛନ୍ତି, ଜୟଦେବ । ନିଜ ଜମି ବନ୍ଧକ ରଖି ୫୦ ମିଟର ଲମ୍ବ, ୫ ଫୁଟ ଚଉଡା ବାଉଁଶ ପୋଲ ତିଆରି କରିଛନ୍ତି ୬୦ ବର୍ଷିୟ ଜୟଦେବ । ପୋଲରେ ଲାଗିଛି ୫୦୦ରୁ ଅଧିକ ବାଉଁଶ, ଲୁହା ଓ ପ୍ଲାଷ୍ଟିକ ତାର, ଲୁହା କଣ୍ଟ । ୫୦ ଜଣ ଶ୍ରମିକ ଏଇ ପୋଲକୁ ତିଆରି କରିଛନ୍ତି ।

ତେବେ ଜୟଦେବଙ୍କ ଏହି ମହତ କାର୍ଯ୍ୟ ତାଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସଜାଇ ଦେଇଛି । ଆଉ ଗ୍ରାମାଞ୍ଚଳରେ ବିକାଶର କଥା କହୁଥିବା ସରକାରୀ ଯୋଜନାର ବିଫଳତାକୁ ପଦାରେ ପକାଇ ଦେଇଛି ।