୨୦ ବର୍ଷ ତଳେ ମତ୍ସ୍ୟଜୀବୀଙ୍କ ପାଇଁ ଭୋଗରାଇ ତାଳସାରୀରେ ନିର୍ମାଣ ହୋଇଥିଲା ଜେଟି । ହେଲେ ହେଉନି ମରାମତି କି ପୁନରୁଦ୍ଧାର କାମ

40

କନକ ବ୍ୟୁରୋ : ମତ୍ସଜୀବୀଙ୍କ ବିକାଶ ପାଇଁ ୨୦ ବର୍ଷ ତଳେ ଭୋଗରାଇ ତାଳସାରୀ ଠାରେ ନିର୍ମାଣ ହୋଇଥିଲା ଜେଟି । ମରାମତି ନହେବାରୁ ଏବେ ଜରାଜିନ୍ନ ଅବସ୍ଥାରେ । ନିର୍ମାଣ ହୋଇଥିବା ଜେଟିର ଛାତରୁ କଂକ୍ରିଟ୍ ଖସିଲାଣି, କାନ୍ଥ ଓ ପିଲାରର ଲୁହା ରଡ ଦେଖାଗଲାଣି । ବିଭିନ୍ନ ସ୍ଥାନରେ କଂକ୍ରିଟ ଚଟାଣ ମଧ୍ୟ ଭାଙ୍ଗିରୁଜି ଗଲାଣି । ଯାହା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ଜେଟିର ମୁହାଣ ମଧ୍ୟ ପୋତି ହୋଇଗଲାଣି । ତେଣୁ ଜେଟିର ପୁନରୁଦ୍ଧାର କରିବା ସହ ମୁହଁଣ ଖନନ ପାଇଁ ଦାବି କରିଛନ୍ତି ମତ୍ସ୍ୟଜୀବୀ ଓ ବ୍ୟବସାୟୀ ।

ଭୋଗରାଇ ବ୍ଲକର ଉଦୟପୁର ଠାରୁ କୀର୍ତନିଆ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ବେଳାଭୂମି ରହିଛି । ଉପକୂଳବର୍ତି ଅଂଚଳରେ ଥିବା ଗାଁର ପ୍ରାୟ ଅଧିକାଂଶ ଲୋକ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଜେଟିର ଏଭଳି ଅବସ୍ଥା ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଜେଟି ଉପରେ ନିର୍ଭର କରୁଥିବା ପ୍ରାୟ ୪ ହଜାର ପରିବାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ।

୨୦୦୩ରେ ଓଡ଼ିଶା ସରକାରଙ୍କ ତକ୍ରାଳୀନ ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ତଥା ବର୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଜେଟିର ଉଦଘାଟନ କରିଥିଲେ । ପ୍ରତିବର୍ଷ ଆସୁଥିବା ବନ୍ୟା, ବାତ୍ୟା ଓ ଜୁଆର ମାଡ଼ ଯୋଗୁଁ ଜେଟିର ଅନେକ ସ୍ଥାନ କ୍ଷତିଗ୍ରସ୍ତ ହେବା ସହ ବିପଦ ସୃଷ୍ଟି କରୁଛି ।