କନକ ବ୍ୟୁରୋ: ଜେଲ ଅନ୍ତେବାସୀଙ୍କ ହାତରେ କାର୍ତିକ ଡଙ୍ଗା । ଅନ୍ତେବାସୀଙ୍କ ପ୍ରତିଭାର ବିକାଶ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯାଜପୁର ଉପକାରାଗାର ନିଆରା ଉଦ୍ୟମ କରିଛି । ଆଗକୁ କାର୍ତିକ ପୂର୍ଣ୍ଣିମା ଆସୁଥିବା ବେଳେ ଅନ୍ତେବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କାଗଜ ଡଙ୍ଗା ଏବେ ବଜାରରେ ବିକ୍ରି ଆରମ୍ଭ ହୋଇଛି ।
୨ ଦିନ ପରେ କାର୍ତିକ ପୂର୍ଣ୍ଣିମା । ବିଚାରଧୀନ କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଡଙ୍ଗା ଭସାଇ ପୂର୍ଣ୍ଣ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ । ଏବଂ କଏଦିଙ୍କ ଅପରାଧିକ ମାନସିକତାରେ ଆସିବ ପରିବର୍ତନ । ଜେଲରେ ଥିବା ବିଚାରଧିନ କଏଦୀଙ୍କୁ କାମରେ ଲଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଯାଜପୁର ଉପକାରାଗାର କର୍ତୃପକ୍ଷ । ଆଗକୁ କାର୍ତିକ ପୂର୍ଣ୍ଣିମା ଥିବାରୁ କଏଦି ତିଆରି କରୁଛନ୍ତି ଡଙ୍ଗା । ଜେଲ ସମ୍ମୁଖରେ ଷ୍ଟଲ କରି ଡଙ୍ଗା ବିକ୍ରି କରାଯାଉଛି । ଡଙ୍ଗା ଦର ୧୦ ଟଙ୍କା ଠାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଡଙ୍ଗା ପ୍ରସ୍ତୁତରେ ସୀମତି ନାହିଁ କଏଦୀଙ୍କ ପ୍ରତିଭା । ପୂର୍ବରୁ ଷ୍ଟେଟ ବ୍ୟାଙ୍କ ସହଯୋଗରେ ଅନ୍ତେବାସୀ ଫିନାଇଲ, ମହବତୀ, ହ୍ୟାଣ୍ଡୱାସ, ଉଜାଲା ଆଦି ପ୍ରସ୍ତୁତ କରି ଆସୁଛନ୍ତି । ସେଗୁଡିକ ମଧ୍ୟ ଷ୍ଟଲ ଜରିଆରେ ବିକ୍ରି କରାଯାଉଛି । ଅପରାଧୀଙ୍କ ମାନସିକତାରେ ପରିବର୍ତନ ପାଇଁ ଯାଜପୁର ଜେଲ କର୍ତୃପକ୍ଷଙ୍କ ଏପରି ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ଅପରାଧୀ ଦୋଷ ମୁକ୍ତ ହୋଇ ଜେଲରୁ ବାହାରିବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ନୂଆ ଦିଶା ଦେଖାଇବ ।