ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ

80

କନକ ବ୍ୟୁରୋ: ଭୁବନେଶ୍ବରରୁ କାଳିଜାଈ ଦର୍ଶନ ପାଇଁ ଯାଇଥିବା ପ୍ରାୟ ୨୫ ଜଣ ପର୍ଯ୍ୟଟକ କୁହୁଡ଼ି ଯୋଗୁ ଚିଲିକା ମଝିରେ ବାଟବଣା ହୋଇ ଅଟକି ରହିଛନ୍ତି। ଏ ନେଇ ଖବର ପାଇବା ପରେ ବାଲୁଗାଁ, ଗଙ୍ଗାଧରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ୨ଟି ବୋଟ୍‌ ନେଇ ନଳବଣ ମଧ୍ୟରେ ଫସିରହିଥିବା ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଛନ୍ତି।

ବାଲୁଗାଁ ଦମକଳ କେନ୍ଦ୍ର ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କଠାରୁ ପ୍ରକାଶ ଯେ ଭୁବନେଶ୍ବରର ପ୍ରାୟ ୨୫ ଜଣ ପର୍ଯ୍ୟଟକ ମା’ କାଳିଜାଈଙ୍କ ଦର୍ଶନ ପାଇଁ ଗତକାଲି ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ଅପରାହ୍ଣ ପ୍ରାୟ ୪ଟାବେଳେ ଏକ ମତ୍ସ୍ୟଜୀବୀ ଡଙ୍ଗାରେ ସେମାନେ କାଳିଜାଈ ଅଭିମୁଖେ ଯାଇଥିଲେ। ମା’ କାଳିଜାଈଙ୍କ ଦର୍ଶନ ପରେ ଫେରୁଥିବାବେଳେ ପ୍ରବଳ କୁହୁଡ଼ି ଯୋଗୁ ବାଟବଣା ହୋଇ ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣରେ ପହଞ୍ଚିଯାଇଥିଲେ। ତେବେ ଚିଲିକାର ନଳଘାସରେ ଲାଗି ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଡଙ୍ଗାର ମେସିନ୍‌ ଖରାପ ହୋଇଯାଇଥିଲା।

ଫଳରେ କୂଳକୁ ଫେରି ନ ପାରି ପର୍ଯ୍ୟଟକମାନେ ବ୍ୟସ୍ତ ହୋଇପଡ଼ିଥିଲେ। ନଳବଣରୁ ପର୍ଯ୍ୟଟକମାନେ ଫୋନ୍‌ କରି ବାଲୁଗାଁ ଦମକଳ କେନ୍ଦ୍ରକୁ ସେମାନଙ୍କ ସ୍ଥିତି ‌ସମ୍ପର୍କରେ ଜଣାଇଥିଲେ। ଖବର ପାଇବାପରେ ଦମକଳ ବିଭାଗର କର୍ମଚାରୀମାନେ ବାଲୁଗାଁ ଜେଟିରୁ ୨ଟି ଯାତ୍ରୀବାହୀ ଡଙ୍ଗା ନେଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।