ସରିଗଲା ପେଟ୍ରୋଲ, ମଝି ସମୁଦ୍ରରେ ଫସିଲା ଡଙ୍ଗା । ରାଜନଗରରେ ଅଳ୍ପକେ ବର୍ତିଲେ ଯାତ୍ରୀ । ଘଣ୍ଟାଏ ଧରି ସମୁଦ୍ର ଭିତରେ ଫସି ରହିଲେ ପର୍ଯ୍ୟଟକ ।

162

କନକ ବ୍ୟୁରୋ : ମଝି ସମୁଦ୍ରରେ ଅଚଳ ହୋଇଗଲା ବୋଟ, ଅଳ୍ପକେ ବର୍ତିଲେ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ସମୁଦ୍ରରେ ଘଟିଛି ଏହି ଅଘଟଣ । ବୋଟରେ ପେଟ୍ରୋଲ ସରିଯିବାରୁ ମଝି ସମୁଦ୍ରରେ ଅଚଳ ହୋଇଗଲା, ଆଉ ବିପଦ ସଙ୍କୁଳ ଅବସ୍ଥାରେ ପ୍ରାୟ ୧ ଘଣ୍ଟା ଧରି ସମୁଦ୍ର ଭିତରେ ଫସି ରହିଥିଲେ ପର୍ଯ୍ୟଟକ । ହେଲେ କେହି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । ସୌଭାଗ୍ୟକୁ ଡଙ୍ଗା ଲହଡି ମାଡରେ କୂଳକୁ ଭାସି ଆସିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ ଇକୋ ରିଟ୍ରିଟ୍ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ବୋଟରେ ସମୁଦ୍ର ବୁଲାଇବାକୁ ନିଆଯାଇଥିଲା । ହେଲେ ମଝି ସମୁଦ୍ରରେ ପେଟ୍ରୋଲ ସରିଯିବାରୁ ବୋଟଟି ସେଠାରେ ବନ୍ଦ ହୋଇ ରହିଯାଇଥିଲା । ଗଭୀର ସମୁଦ୍ରରେ ବୋଟ ଅଚଳ ହେବା ଦେଖି ଅଜଣା ଆତଙ୍କରେ ଶିହରି ଉଠିଥିଲେ ପର୍ଯ୍ୟଟକ । ଉଚ୍ଚ ଜୁଆର ବୋଟରେ ମାଡ ହେବା ଦେଖି ଆତଙ୍କିତ ହୋଇଥିଲେ ବୋଟରେ ଥିବା ଲୋକେ । ଏହି ସମୟରେ ହାତଠାରି ସାହାଯ୍ୟ ମାଗିଥିଲେ ମଧ୍ୟ ଇକୋ ରିଟ୍ରିଟ୍ ପକ୍ଷରୁ କୌଣସି ସହାୟାତ କରାଯାଇନଥିବା ଅଭିଯୋଗ ହୋଇଛି । କିନ୍ତୁ ସୌଭାଗ୍ୟକୁ ଲହଡି ମାଡରେ ବୋଟଟି କୂଳକୁ ଭାସି ଆସି ଲାଗିଥିଲା ଓ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ବର୍ତି ଯାଇଛନ୍ତି ।

ଅନ୍ୟପଟେ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ପର୍ଯ୍ୟଟକଙ୍କ ଠାରୁ ନେଇଥିବା ଟଙ୍କା ଫେରାଇ ଦେଇଥିବା ଇକୋ ରିଟ୍ରିଟ୍ କର୍ମଚାରୀ କହିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପେଣ୍ଠ ସମୁଦ୍ର କୂଳରେ ସରକାର ଇକୋ ରିଟ୍ରିଟ ଆୟୋଜନ କରିଛନ୍ତି । ହେଲେ ଏହି ଘଟଣା ଇକୋ ରିଟ୍ରିଟର ଦାୟିତ୍ୱହୀନତାକୁ ଦର୍ଶାଉଛି ।