କନକ ବ୍ୟୁରୋ : କେମିତି ଡଙ୍ଗା ତଳୁ ବଂଚିଲା ଜୀବନ । ୪ ଘଂଟା ଧରି ସମୁଦ୍ର ଭିତରେ ଡଙ୍ଗା ତଳେ ରହି ଯାଇଥିଲେ ମତ୍ସ୍ୟଜୀବୀ । କେବଳ ନାକଟି ଉପରକୁ ରହିଥିବା ବେଳେ ପୁରା ଶରୀର ପାଣିରେ ବୁଡି ରହିଥିଲା । ଜୀବନ ବଂଚିବ ବୋଲି ଆଶା ନଥିଲା । କାରଣ ସମୁଦ୍ରରୁ ମାଛ ମାରି କୂଳକୁ ଫେରୁଥିବା ବେଳେ ହଠାତ୍ ଜୋରରେ ବହିଲା ପବନ । ଡଙ୍ଗାରେ ମାଡ ହେଲା ବଡ ବଡ ଜୁଆର । ଫଳରେ ଡଙ୍ଗା କୁଳରେ ପହଂଚି ପାରିଲା ନାହିଁ । ମାଝିଙ୍କ ଆହୁଲା ବି କାମ ଦେଲା ନାହିଁ । ଶେଷରେ କୁଳରେ ପହଂଚିବା ଆଗରୁ ସମୁଦ୍ରରେ ଓଲଟି ପଡିଲା ମାଛଧରା ଡଙ୍କା । ସେହି ଡଙ୍ଗା ତଳେ ରହି ଯାଇଥିଲେ ମତ୍ସ୍ୟଜୀବୀ ହାବୁଧର ବେହେରା । ୫ଜଣ ସାଥୀ ମତ୍ସ୍ୟଜୀବୀ ପହଁରି ପହଁରି କୁଳକୁ ଫେରି ଯାଇଥିବା ବେଳେ ଜଣେ ସାଥୀ ସବୁ ଦିନ ପାଇଁ ଆଖିବୁଝି ଦେଇଥିଲେ । ସମୟ ବଢିବା ସହ ସମୁଦ୍ର ଭିତରରୁ ହାବୁଧରଙ୍କୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା । ୪ ଘଂଟା ଧରି ଓଲଟି ପଡିଥିବା ଡଙ୍ଗା ତଳେ ରହିଥିଲେ ହାବୁଧର । ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏକ ଡଙ୍ଗା ଯୋଗେ ଖୋଜଖୋଜି କରିଥିଲେ ସାଥୀ ମତ୍ସ୍ୟଜୀବୀ । ବେଶ କିଛି ଘଂଟା ଖୋଜାଖୋଜି କରିବା ପରେ ୪ ଜଣ ମତ୍ସ୍ୟଜୀବୀ ପାଣିରେ ବୁଡି ହାବୁଧରଙ୍କୁ ଡଙ୍ଗା ତଳୁ ଉଦ୍ଧାର କରି ବାଲେଶ୍ୱର ବସ୍ତା ଡାକ୍ତରଖାନାରେ ଭର୍ତି କରିଛନ୍ତି । ସମୁଦ୍ର ଭିତରୁ ଜୀବନ ବଂଚାଇ ଫେରିବା ପରେ କନକ ନ୍ୟୁଜରେ ହାବୁଧର କହିଛନ୍ତି ଗତକାଲି କାଳରାତିର କାହାଣୀ ।