ବୁଡାଇଦେଲା ସେଲ୍ଫି ! ପିକନିକରେ ଯାଇ ନଦୀ ମଝିରେ ବୁଡିଗଲେ ୩ ବନ୍ଧୁ…ନାଉରିଆ ନଥାଇ ନଈ ମଝିକୁ ନେଇଥିଲେ ହୁଲି ଡଙ୍ଗା

ପହଁରି ପହଁରି କୂଳକୁ ଫେରିଲେ୨ , ଜଣେ ମୃତ

1,237

କନକ ବ୍ୟୁରୋ: ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳି ବୁଲିଯିବାର ପର୍ଯ୍ୟାୟ ଚାଲିଛି । କାର୍ଯ୍ୟ ବ୍ୟସ୍ତତାରୁ କିଛି ସମୟର ଅବ୍ୟାହତି ନେଇ ଲୋକେ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଅଂଚଳକୁ ପିକନିକ କରିବାକୁ ଯାଉଛନ୍ତି । ହେଲେ , ଏହି ମନୋରଂଜନ ବେଳେ ସାମାନ୍ୟ ଅସାବଧାନତା କେତେ ଯେ ବଡ ବିପଦକୁ ଟାଣି ଆଣେ ତା’ର ଏକ ସାଂଘାତିକ ଚିତ୍ର ଏବେ ସାମନାକୁ ଆସିଛି ।

ନଇ ମଝିରେ ଡଙ୍ଗା ଓ ଡଙ୍ଗାରେ ୩ ବନ୍ଧୁ ସବାର ହୋଇଥିବାର ଏକ ପ୍ରତିକାତ୍ମକ ଚିତ୍ର । ଜଗତସିଂହପୁରରେ ଏନଜେଏନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ କମ୍ପାନୀର ୩୫ରୁ ଅଧିକ କର୍ମଚାରୀ ଭଟ୍ଟାରିକା ବୁଲିବାକୁ ଆସିଥିଲେ । କଟକର ଅଧିଷ୍ଠ୍ରାତୀ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ବୁଲିବାକୁ ଆସିଥିବା ବେଳେ ୩ ଜଣ କର୍ମଚାରୀ ଏକ ହୁଲି ଡଙ୍ଗାରେ ମହାନଦୀ ଭିତରକୁ ପଶିଥିଲେ ।

ସବୁଠାରୁ ବଡ କଥା ହେଉଛି, ଡଙ୍ଗାର ନାଉରିଆ ନଥିବା ବେଳେ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ ଏବଂ ଅନ୍ୟ ଦୁଇ ଜଣ ନବ କିଶୋର ମହାନ୍ତି ଓ ଅଂଜନ କୁମାର ନାୟକ ନିଜେ ଡଙ୍ଗା ଖୋଲି ନଦୀ ଭିତରକୁ ନେଇଥିଲେ । ନଦୀ ମଝିରେ ଡଙ୍ଗା ଉପରେ ସୁନୀଲ ସାହୁ ସେଲ୍ଫି ନେବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟିପଡିଥିଲା । ୩ ଜଣ ଯାକ ପାଣିରେ ବୁଡିଯାଇଥିବା ବେଳେ  ୨ ଜଣ ପହଁରି ପହଁରି କୂଳରେ ପହଚିଂଥିଲେ । ହେଲେ ଆଜି ସୁନୀଲଙ୍କର ମୃତଦେହ ମିଳିଛି । ଗତକାଲି ସନ୍ଧ୍ୟା ଯାଏ ବଡମ୍ବା ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ଆଜି ତାଙ୍କ ମୃତଦେହ ମିଳିଛି ।