ଆସାମରେ ବଡ ଦୁର୍ଘଟଣା: ବ୍ରହ୍ମପୁତ୍ରରେ ବୁଡିଗଲା ୩୦ଜଣଙ୍କୁ ନେଇଯାଉଥିବା ଡଙ୍ଗା, ଅନେକ ନିଖୋଜ

129

କନକ ବ୍ୟୁରୋ: ଆସାମ ବ୍ରହ୍ମପୁତ୍ର ନଦୀରେ ବଡ ଦୁର୍ଘଟଣା । ଧୁବ୍ରି ଜିଲ୍ଲାର ବ୍ରହ୍ମପୁତ୍ର ନଦୀରେ ପ୍ରାୟ ୩୦ ଜଣଙ୍କୁ ନେଇଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାରୁ ଅନେକଙ୍କ ପତ୍ତାମିଳୁନଥିବା ଜଣାପଡିଛି । ଧୁବ୍ରି ଡେପୁଟି କମିଶନର ଅମ୍ବାମୁଥାନ ଏମପିଙ୍କ କହିବା ଅନୁସାରେ, ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୬-୭ ଜଣ ଏପର୍ୟ୍ୟନ୍ତ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଧୁବ୍ରି ସର୍କଲ ଅଫିସର ସଞ୍ଜୁ ଦାସ ମଧ୍ୟ ନିଖୋଜ ଅଛନ୍ତି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀଙ୍କ କହିବା ଅନୁସାରେ, ଉଦ୍ଧାରକାରୀ ଦଳ ନଦୀରେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ କହିଛନ୍ତି ଯେ ଧୁବ୍ରି-ଫୁଲବାରୀ ସେତୁ ନିକଟରେ ଏକ ଛୋଟ ଚ୍ୟାନେଲ ଅଛି। ଡଙ୍ଗାଟି ଚ୍ୟାନେଲ ଅତିକ୍ରମ କରୁଥିବାବେଳେ ଏହା କୌଣସି ବସ୍ତୁ ସହ ଧକ୍କା ହୋଇ ଓଲଟି ପଡିଥିଲା । ଡଙ୍ଗାଟି ପ୍ରାୟ ୩୦ ଜଣ ଲୋକଙ୍କୁ ନେଇ ଯାଉଥିଲା । ଡଙ୍ଗାରେ ଅନେକ ଧୁବ୍ରି ସର୍କଲ କାର୍ୟ୍ୟାଳୟର କିଛି କର୍ମଚାରୀ ଥିଲେ । ପହଁରା ଜାଣିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ଅନେକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ବାହିନୀ, ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ ଏବଂ ସୀମା ସୁରକ୍ଷା ବାହିନୀର ଦଳକୁ ଉଦ୍ଧାର କାର୍ୟ୍ୟରେ ନିୟୋଜିତ କରାଯାଇଛି ।