ମୃତ୍ୟୁର ଜାଲରେ ଉତ୍ତରପ୍ରଦେଶ! ନଦୀରେ ବୁଡିଲା ଡଙ୍ଗା । ୨୨ ଜଣଙ୍କ ଜଳସମାଧି, ଏବେ ବି ୨୦ରୁ ଅଧିକ ନିଖୋଜ

63

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଗତ କିଛିଦିନ ହେଲା ମୃତ୍ୟୁର ତାଣ୍ଡବଲୀଲା ଦେଖିବାକୁ ମିଳୁଛି । ପ୍ରଥମେ ଡାକ୍ତରଖାନାରେ ଶିଶୁ ମୃତ୍ୟୁ, ପରେ କଳିଙ୍ଗ-ଉକ୍ରଳ ଟ୍ରେନ ଦୁର୍ଘଟଣା ଆଉ ଏବେ ଡଙ୍ଗା ବୁଡି ଘଟଣାରେ ୨୨ ଜଣଙ୍କ ମୃତ୍ୟୁ । ଲାଗୁଛି ସତେ ଯେମିତି ମୃତ୍ୟୁର ଜାଲରେ ବାନ୍ଧି ହୋଇପଡିଛି ଉତ୍ତରପ୍ରଦେଶ । ପ୍ରତିଦିନ କିଛି ନା କିଛି ବଡ ଦୁର୍ଘଟଣା ଘଟୁଛି ଉତ୍ତରପ୍ରଦେଶେରେ ।

ୟୁପି ବାଗପତ କାଠା ଗାଁରେ ଅଘଟଣ । ୨୨ରୁ ଅଧିକ ଲୋକଙ୍କର ନଦୀରେ ଜଳସମାଧି ହୋଇଯାଇଛି । ଯମୁନା ନଦୀରେ ଡଙ୍ଗା ବୁଡିବାରୁ ୨୨ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଗପତରୁ ହରିୟାଣାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପ୍ରତିଦିନ କାଠ ଗାଁରୁ ଲୋକମାନେ ଡଙ୍ଗାରେ ଜୀବନଜୀବିକା ନିର୍ବାହ କରିବା ପାଇଁ ଡଙ୍ଗାରେ ବାହାରକୁ ଯାଇଥାନ୍ତି ।

ଏହି ଘଟଣାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଯୋଗୀ ସରକାର । ସେହିପରି ନିଖୋଜ ଓ ଆହତଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ମଧ୍ୟ ସେ ଘୋଷଣା କରିଛନ୍ତ । ସେପଟେ ଦୁର୍ଘଟଣା ଘଟିବା ପରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ତେବେ ଡଙ୍ଗା ଓଲଟିବାର ପ୍ରକୃତ କାରଣ ଜଣା ପଡିନାହିଁ ।