କନକ ବ୍ୟୁରୋ : ଦଶମ ଏବଂ ଦ୍ୱାଦଶରେ ହେବ ଦୁଇଟି ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖର ଉନ୍ମୋଚନ ଅବସରରେ ଏହି ଗୁରୁତ୍ୱପପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆ ଶିକ୍ଷା ନୀତି ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଏଭଳି ବିଜ୍ଞପ୍ତି ଜାରି କରାଯାଇଛି ।
- ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଚାପ କମିବ
- ଶ୍ରେଣୀଗୃହରେ ଟେକ୍ସଟ୍ ବୁକ୍ ଶେଷ କରିବା ଚାପ ହ୍ରାସ ପାଇବ
- ପାଠ ଘୋଷିବା ବଦଳରେ ଦକ୍ଷତା ହାସଲର ଆକଳନ ହୋଇପାରିବ
- ଦୁଇଟି ବୋର୍ଡ ପରୀକ୍ଷା ରେଜଲ୍ଟ ମଧ୍ୟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ
- କଳା, ବାଣିଜ୍ୟ ଓ ବିଜ୍ଞାନ ମଧ୍ୟରେ ସୀମିତ ରହିବନି ପିଲାଙ୍କ ପସନ୍ଦ
- ଛାତ୍ରଛାତ୍ରୀ ନିଜ ଇଛାରେ ବିଷୟ ବାଛିପାରିବେ
- ପିଲାମାନେ ଭଲ ପ୍ରଦର୍ଶନ ଲାଗି ପର୍ଯ୍ୟାପ୍ତ ସମୟ, ସୁଯୋଗ ପାଇବେ

Advertisment

ରାଜ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ଲାଗି ଦୁଇଟି ବୋର୍ଡ ରହିଛି । ଦଶମ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଯୁକ୍ତ ଦୁଇ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଦୁଇଟି ବୋର୍ଡ ବର୍ଷରେ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଏ । ଅନେକ ତ୍ରୁଟି ବିଚ୍ୟୁତି କାରଣରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ବର୍ଷକୁ ଦୁଇ ଦୁଇଟି ବୋର୍ଡ ପରୀକ୍ଷା କରି ରେଜଲ୍ଟ ପ୍ରକାଶ କରିବା ଦୁଇ ବୋର୍ଡ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ । ରାଜ୍ୟ ବୋର୍ଡ ଗୁଡିକରେ କୁଶଳୀ କର୍ମଚାରୀ , ପରୀକ୍ଷା ଏବଂ ମୁଲ୍ୟାୟନ ପ୍ରଣାଳୀରେ ବ୍ୟାପକ ପରିବର୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିକ୍ଷାବିତ୍ । ଏପଟେ ସବିଶେଷ ବିଜ୍ଞପ୍ତି ଆସିବା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ଶିକ୍ଷା ଦିଆଯିବ । ସେଥିରୁ ଗୋଟିଏ ଭାଷା ନିଶ୍ଚିତ ଭାରତୀୟ ଭାଷା ହେବ । ବିଷୟ ଚୟନ ପାଇଁ କଟକଣା ରହିବ ନାହିଁ । ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ବାଦ ବିଶ୍ୱବିଦ୍ୟାଳୟ ଅନୁମୋଦିତ ପାଠ୍ୟକ୍ରମ ଗ୍ରହଣ କରିପାରିବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।