କନକ ବ୍ୟୁରୋ : ଆସନ୍ତା ବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷାବର୍ଷରୁ ଆସାମ ସରକାର ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି । ଅର୍ଥାତ ଏହି ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହି ନିଷ୍ପତ୍ତି କେବଳ ଆସାମ ରାଜ୍ୟ ପାଇଁ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି । ଏହାସହ ଖୁବଶୀଘ୍ର ଆସାମ ଶିକ୍ଷାବୋର୍ଡ ଗଠନ କରାଯିବ ବୋଲି ସେ କହିଛନ୍ତି ।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି, ଆସନ୍ତା ଶିକ୍ଷାବର୍ଷ ଠାରୁ ଅନ୍ୟ କ୍ଲାସ ପରୀକ୍ଷା ଭଳି ୧୦ମଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷା ନେଇ ସମସ୍ତ ପ୍ରକାର ଆୟୋଜନ ସ୍କୁଲ କିମ୍ବା ଶିକ୍ଷା ପରିଷଦ ଦ୍ୱାରା କରାଯିବ ।

ଏବେ ଏହି ନିଷ୍ପତ୍ତି କେବଳ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନିଆଯାଇଛି । ହେଲେ ଯୁକ୍ତ୨ ବୋର୍ଡ ପରୀକ୍ଷା ପୂର୍ବ ଭଳି ଆୟୋଜନ କରାଯିବ । ଏହାସହ ଦଶମ ପରୀକ୍ଷା ପରେ ଏକାଦଶ ଶ୍ରେଣୀ ପାଇଁ ପିଲାମାନଙ୍କୁ ଆବେଦନ କରିବାକୁ ପଡିବ ନାହିଁ । ସୂଚନା ଥାଉକି ୧୦ମ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ଆୟୋଜିତ କରାଯାଇଥାଏ । ସେହିଭଳି ଯୁକ୍ତ୨ ପରୀକ୍ଷା ଆସାମ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା କରାଯାଇଥାଏ । ହେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ଦୁଇ ବୋର୍ଡକୁ ମିଶାଇ ଗୋଟିଏ ବୋର୍ଡ କରିଦିଆଯିବ ।