କନକ ବ୍ୟୁରୋ: ନେତାଙ୍କୁ ସବୁ ମାଫ, କିନ୍ତୁ ଜନତାଙ୍କୁ ଫାଇନ । ବିଏମସିର ଏଭଳି ଆଭିମୁଖ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆ ବର୍ଷ ପାଇଁ ରାଜଧାନୀରେ ମାଳ ମାଳ ପୋଷ୍ଟର ଲାଗିଛି । ପୋଷ୍ଟରର ଖୋଦ୍ ଭୁବନେଶ୍ୱର ମେୟରଙ୍କ ଫଟୋ ରହିଛି । କିନ୍ତୁ ପୋଷ୍ଟର ମାରିଥିବା ଲୋକଙ୍କ ଉପରେ ଫାଇନ ପକାଇବାକୁ ସାହାସ ଜୁଟାଇ ପାରୁନାହିଁ ବିଏମସି । କିଛି ଦିନ ତଳେ ପୋଷ୍ଟର ଲଗାଇଥିବାକୁ କିଛି ଘରୋଇ କମ୍ପାନୀକୁ ଫାଇନ ଲାଗାଇଥିଲା ବିଏମସି । କିନ୍ତୁ ନେତାଙ୍କ ପୋଷ୍ଟର ନେଇ ମେୟର ଓ କମିଶନର ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଛି ।

Advertisment

ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରିଥିଲା ବିଏମସି । ଥାନାରେ ମାମଲା ବି ଦାୟର ହୋଇଥିଲା । ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ ହୋଇଥିଲା । କିନ୍ତୁ ଦେଖନ୍ତୁ ନୂଆବର୍ଷ ଅବସରରେ ସହରରେ ଲାଗିଥିବା ହୋର୍ଡିଂ ସବୁକୁ । ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ବିଭିନ୍ନ ରାଜନୈତିକ ଦଳ ଭୁବନେଶ୍ୱରକୁ ପୋଷ୍ଟରରେ ଛାଉଣୀ କରିଦେଇଛନ୍ତି । ନୋ ହୋର୍ଡିଂ ଜୋନରେ ବିଭିନ୍ନ ରାଜନୈତିକ ଦଳର ବିଧାୟକ, କର୍ପୋରେଟର, ସ୍ଥାନୀୟ ନେତା. ଆଶାୟୀ ପ୍ରାର୍ଥୀ ନିଜ ନିଜର ବଡ ବଡ ପୋଷ୍ଟର କରି ସର୍ବସାଧାରଣ ସ୍ଥାନରେ ଲଗାଇଛନ୍ତି । ଏମାନଙ୍କ ସହ ନିଜର ଦଳର ବଡ ନେତାଙ୍କ ଫଟୋ ବି ରହିଛି । ଲାଗୁଛି ସହରର ସୁନ୍ଦରତା ପୋଷ୍ଟର ତଳେ ଲୁଚିଯାଇଛି । ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି , ନେତାଙ୍କ ପାଇଁ ବିଏମସିର ନିୟମ ଅଲଗା ଓ ସାଧାରଣ ଜନତାଙ୍କ ପାଇଁ ନିୟମ କଣ ଅଲଗା ।

ସବୁଠାରୁ ବଡ କଥା ହେଲା, ଅନେକ ପୋଷ୍ଟରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ବଡ ବଡ ଫଟୋ ବି ରହିଛି । କିନ୍ତୁ ବିଏମସିର ଏଥିପ୍ରତି ନଜର ନାହିଁ । ଏଗୁଡିକୁ ହଟାଇବାକୁ କିଛି ଯୋଜନା ବି ନାହିଁ । ଏପରିକି ଏହି ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି । ଘରୋଇ କମ୍ପାନୀ ଓ ଲୋକଙ୍କୁ ବିଏମସି ଫାଇନ ପକାଇବା ବେଳେ ବିଏମସି କମିଶନର ପ୍ରତିକ୍ରିୟା ରଖୁଥିଲେ ଓ ବିଏମସି ପକ୍ଷରୁ ଟ୍ୱିଟ ବି କରାଯାଉଥଲା । କିନ୍ତୁ ରାଜନୈତିକ ଦଳର ପୋଷ୍ଟର ହଟାଇବାକୁ ଏବେ ସାହସ ଜୁଟାଇପାରୁନି ବିଏମସି ।

କୁହାଯାଉଛି, ଆଗକୁ ଯେଭଳି ଆଉ କେହି ରାଜଧାନୀର ସର୍ବସାଧାରଣ ସ୍ଥାନରେ ପୋଷ୍ଟର ନ ମାରିବେ ସେଥିପାଇଁ ଖୁବଶୀଘ୍ର ଆଣିପାରେ ଏସଓପି । ଏ ନେଇ ସବୁ ରାଜନୈତିକ ଦଳ ସହ ଆଲୋଚନା ପରେ ଏସଓପି ଆସିପାରେ । ପ୍ରଶ୍ନ ଉଠୁଛି, ଏସଓପି ସମସ୍ତଙ୍କ ପାଇଁ ଲାଗୁ ହେବ ତ । ଫାଇନ ଆଦାୟ ନେଇ କୌଣସି ପକ୍ଷପାତିତା ହେବନାହିଁ ତାର ଗ୍ୟାରେଂଟି ଦେଇପାରିବ କି ବିଏମସିି ?