ନେତାଙ୍କ ଭଳି ଫଟୋ ଉଠାଇବା ପାଇଁ ନୁହେଁ । କାମ ପ୍ରତି ନିଷ୍ଠାର ଉଦାହରଣ ଦେଲେ ସଫେଇ କର୍ମଚାରୀ । ପ୍ରବଳ ବର୍ଷାରେ ରାଜଧାନୀ ରାସ୍ତାରୁ ଉଠାଇଲେ ଅଳିଆ-ଆବର୍ଜନା । କହିଲେ କାମ ନକଲେ ମିଳିବନି ଦରମା ।

362

କନକ ବ୍ୟୁରୋ : ଯେବେ ପେଟପାଟଣା କଥା ଥାଏ ସେତେବେଳେ ଯେ କୌଣସି ପରିସ୍ଥିତିରେ ବି ତାକୁ କାମ କରିବାକୁ ପଡେ । ଖୋଦ ରାଜଧାନୀରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ଖୁବ୍ ଜୋରରେ ବର୍ଷା ହେଉଥିବା ବେଳେ ଜଣେ ସଫେଇ କର୍ମଚାରୀ ନିଜ କାମ କରିଚାଲିଥାନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେମାନେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ । ଆଉ ବ୍ୟକ୍ତି ଜଣଙ୍କ କହିଥିଲେ, କାମ ନକଲେ ଦରମା କଟିଯିବ ।

ଏହି କର୍ମଚାରୀଙ୍କ ନାମ ହେଉଛି ସୁନୀଲ ନାହକ । ବୃତ୍ତି – ବିଏମସି ସଫେଇ କର୍ମଚାରୀ । ତୁହାକୁ ତୁହା ବର୍ଷା ହେଉଥିଲା । ରାସ୍ତାରେ କାଁ ଭାଁ ଲୋକ ଯାଉଥିଲେ । ତଥାପି ବର୍ଷାକୁ ଖାତିର୍ ନକରି ନିଜ କାମରେ ଲାଗିପଡିଥିଲେ ବିଏମସିର ଏହି ସଫେଇ କର୍ମଚାରୀ । ଅନେକ ସମୟରେ ସହରରେ ରହୁଥିବା ଲୋକ ଘର ଆଗରେ ଅଳିଆ ଗଦା ହୋଇଗଲେ ବିଏମସି ଉପରେ ଦୋଷାରୋପ କରନ୍ତି । ସଫେଇ କର୍ମଚାରୀଙ୍କୁ ଦୋଷ ଦିଅନ୍ତି । ପରଦିନ ଦେଖାହେଲେ ତାଗିଦ କରିବାକୁ ମଧ୍ୟ ଭୁଲନ୍ତି ନାହିଁ । ହେଲେ ଏହି କର୍ମଚାରୀ ଜଣକ ନିଜ କର୍ତ୍ତବ୍ୟ ପ୍ରତି ଯେଉଁ ନିଷ୍ଠା ଦେଖାଇଛନ୍ତି, ତାହା ବିଏମସିର ସଫେଇ କର୍ମଚାରୀଙ୍କୁ ଗାଳିଦେଉଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି ।

ପ୍ରବଳ ବର୍ଷାରେ ଭିଜି ଭିଜି ରାସ୍ତା ଉପରେ ଗଦା ହୋଇଥିବା ମଇଳାକୁ ଗାଡିରେ ରଖି ଠେଲି ଠେଲି ନେଉଥିଲେ ସଫେଇ କର୍ମଚାରୀ ସୁନୀଲ ନାହକ । ତାଙ୍କୁ ଦେଖି ଆମ ପ୍ରତିନିଧିଙ୍କ ଗାଡି ଅଟକିଯାଇଥିଲା । ଆଉ ପଚାରିବାରୁ ପ୍ରତିକ୍ରିୟା ମିଳିଥିଲା ଯେ ତାଙ୍କର ମାସିକ ଦରମା ହେଉଛି ୫ ହଜାର ୭୦୦ ଟଙ୍କା । ଅର୍ଥାତ ଦିନକୁ ହେଉଛି ୧୯୦ ଟଙ୍କା । ଆଉ ଦିନେ କାମ ନକରିଲେ ଛୁଟି ପଡିଯିବ ଏବଂ ତାଙ୍କୁ ଦରମା ମିଳିବନି । ଦରମା ନମିଳିଲେ ଘର ଚଳାଇବା କଷ୍ଟକର ହୋଇଯିବ ବୋଲି କହିଛନ୍ତି ସଫେଇ କର୍ମଚାରୀ ସୁନୀଲ ।