ବିଏମସିର ଶୀତ ଦିନିଆ କରୋନା ଗାଇଡଲାଇନକୁ ବିରୋଧ । କ୍ୟାଟେରିଂ ଓ ଟେଣ୍ଟ ବ୍ୟବସାୟୀଙ୍କ ପ୍ରବଳ ପ୍ରତିବାଦ ।

112

କନକ ବ୍ୟୁରୋ : ଲକଡାଉନ ହଟିବା ପରେ ବିବାହ ବେପାରକୁ ସଳଖାଇବାକୁ ଚାହୁଁଥିବା ବ୍ୟବସାୟୀଙ୍କୁ ପୁଣି ଝଟକା ଲାଗିଛି, ଯେତେବେଳେ ୱିଣ୍ଟର ଗାଇଡଲାଇନ ଜାରି କରାଯାଇଛି । କରୋନା ସଂକ୍ରମଣ ବଢିବା ଆଶଙ୍କା ଦୃଷ୍ଟିରୁ ବିବାହ, ବ୍ରତ ଘର ଓ ଶୁଦ୍ଧିକ୍ରୀୟାରେ କଟକଣା ଲାଗିବା ପରେ ବିଏମସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବ୍ୟବସାୟୀ । ଯଦି ନିଷ୍ପତ୍ତିରେ ପରିବର୍ତ୍ତନ କରାନଯାଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି ।

ଟେଣ୍ଟ ହାଉସର ସାଜସଜ୍ଜା ଓ କ୍ୟାଟେରିଂ ସାମଗ୍ରୀ ଦୀର୍ଘ ୨ ବର୍ଷ ହେଲା ପଡି ରହିଛି । କେବଳ ପଡି ରହିଛି କହିଲେ ଭୁଲ ହେବ, ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀଙ୍କ ପେଟକୁ ମାରି ଦେଇଛି । କୋଭିଡ କଟକଣା ଆରମ୍ଭରୁ ଖୋର୍ଦ୍ଧାର ତ୍ରିନାଥ ସାଉଣ୍ଡ ସିଷ୍ଟମ ଓ ବାପୁ ଟେଂଟ ହାଉସ ମାଲିକଙ୍କ ଦୁଃଖ ବଢିଯାଇଛି । ପାର୍ବଣ କଟକଣା ପରେ ଏବେ ଶୀତ ଦିନ ପାଇଁ ବିଏମସିର ଗାଇଡଲାଇନ ସେମାନଙ୍କୁ ନିରାଶ କରିଛି । ବିଏମସିର ଘୋଷଣା ପରେ ବାହାଘର, ବ୍ରତ ପାଇଁ ଦେଇଥିବା ଆଡଭାନ୍ସ ମଧ୍ୟ ଲୋକେ ମାଗିନେଉଥିବା କହିଛନ୍ତି ।

ଭୁବନେଶ୍ୱରର ଡିଜେ ସାଉଣ୍ଡ ସିଷ୍ଟମ ହାଉସର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ସାଉଣ୍ଡ ସିଷ୍ଟମରେ ଧୁଳି ଜମି ଗଲାଣି, ପଡି ରହି କିଛି ସାମଗ୍ରୀ ନଷ୍ଟ ହେବାକୁ ବି ବସିଲାଣି । ପାର୍ବଣରେ ଫୁରସତ ପାଉନଥିବା ଏହି ବେପାରୀ ହାତବାନ୍ଧି ବସିଛନ୍ତି । ସ୍ଥିତି ଏମିତି ଯେ ନିଜେ ଚଳିବା ମୁସ୍କିଲ ହୋଇପଡୁଛି, ରୁଣରେ ଆଣିଥିବା ଗାଡିର କିସ୍ତି ଓ କର୍ମଚାରୀଙ୍କୁ ଦରମା ଦେବେ କେଉଁଠୁ ।

ଶୀତ ଦିନ ପାଇଁ ବିଏମସିର ନୂଆ ଗାଇଡ଼ ଲାଇନକୁ ବିରୋଧ କରି ବିଏମସି କାର୍ଯ୍ୟାଳୟ ଆଗରେ କ୍ୟାଟେରର, ଲାଇଟ-ସାଉଣ୍ଡ, ଟେଂଟ ହାଉସ ଓ ଡ଼ିଜେ ସଂଘ ବିକ୍ଷୋଭ କରିଛନ୍ତି । ସରକାର ଜୀବନକୁ ଗୁରୁତ୍ୱ ଦେଇ ଜୀବିକା ଛଡ଼ାଇନେଉଛନ୍ତି, ତେଣୁ ନିର୍ଦ୍ଦେଶନାମାର ପୁନର୍ବିଚାର ବିଏମସି କରୁ ବୋଲି ଦାବି କରିଛନ୍ତି ବିକ୍ଷୋଭକାରୀ ।

କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ବିଏମସି କେଉଁ ଆଧାରରେ ୱିଂଟର ଗାଇଡଲାଇନରେ ବାହାଘର, ବ୍ରତଘର ଉପରେ କଟକଣା ଲଗାଇଲା ? ଏହା ପଛରେ କିଛି ନିର୍ଦ୍ଦିଷ୍ଟ ବୈଜ୍ଞାନିକ କାରଣ ଅଛି କି ? ନିଷ୍ପତି ନେବା ପୂର୍ବରୁ ଏସବୁ କାର୍ଯ୍ୟ ଉପରେ ନିର୍ଭର କରୁଥିବା ପରିବାର ଲୋକଙ୍କ କଥା ବିଏମସି ଚିନ୍ତା କରିଥିଲା ତ ? ନା କେବଳ ରେକର୍ଡ କରିବାର ନିଶା ଓ ସଂକ୍ରମଣ ସଂଖ୍ୟାକୁ କମ କରିବା ମାନସିକତାକୁ ନେଇ ବିଏମସି ଏପରି କରିଛି ।