କନକ ବ୍ୟୁରୋ : ବିନା ବିଲଡିଂ ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା ୯୪ଟି କଲ୍ୟାଣ ମଣ୍ଡପ/ବିବାହ ମଣ୍ଡପକୁ ବିଏମ୍ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା । ଯାହାର ଯାହା ଭିତ୍ତିଭୂମି ଅଭାବ ଅଛି ତାକୁ ସଜାଡ଼ିବାକୁ ମାସେ ମହଲତ ଦିଆଯାଇଥିଲା । ଜାନୁଆରି ୩୧ରେ ଏହି କଣ୍ଟ ପୂରିଥିବାବେଳେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏବଂ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ବନ୍ଦ କରିବାକୁ ବିଏମ୍ସି ପକ୍ଷରୁ ସୋମବାର ଠାରୁ ଅଭିଯାନ ଆରମ୍ଭ ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଦିନରେ ବିଏମ୍ସିର ତିନିଟି ଜୋନ୍ରେ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଯୋଜନା ହୋଇଛି । ଏଥିରେ ଦକ୍ଷିଣ ପୂର୍ବ ଜୋନ୍ରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନ୍ରେ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନ୍ରେ ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ ହେବାର ଅଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍ସି ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ଜବାବ ୬୦ରୁ ଅଧିକ କଲ୍ୟାଣ ମଣ୍ଡପ ଦେଲେନି । କେତେକ ମଣ୍ଡପ ନିଜର ଭିତ୍ତିଭୂମି ବି ସଜାଡ଼ିଲେନି । ଜାନୁଆରି ୩୧ତାରିଖ ସୁଦ୍ଧା ପ୍ରାୟ ୩୦ଟି କଲ୍ୟାଣ ମଣ୍ଡପ ବିଏମ୍ସି ନିକଟରେ ସେମାନଙ୍କ ପକ୍ଷ ରଖିଛନ୍ତି । ହେଲେ ବିଏମ୍ସି ପକ୍ଷରୁ ସେଗୁଡ଼ିକୁ ଯାଞ୍ଚ କରାଯାଇନି । କିନ୍ତୁ ପୂର୍ବରୁ ହୋଇଥିବା ସର୍ଭେ ଅନୁଯାୟୀ ସୋମବାର ଠାରୁ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହେବ । ଏବେ ଲଗାତାର ତିନି ଦିନ ବିଭିନ୍ନ ଅଞ୍ଚଳରେ କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ବିଭିନ୍ନ ଜୋନ୍ରେ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଜୋର୍ଦାର କରାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ।