ଏଣିକି ନୋ ପାର୍କିଂ ଜୋନରେ ଗାଡି ଛିଡା କରିବା ପଡିବ ମହଙ୍ଗା । ଦେବାକୁ ହେବ ମୋଟା ଅଙ୍କର ଜୋରିମାନା ।

152

କନକ ବ୍ୟୁରୋ : ଭାରତରେ ଜନସଂଖ୍ୟା ବଢୁଥିବା ବେଳେ ଯାନବାହନର ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆଉ ସବୁଠୁ ବଡ ସମସ୍ୟା ହେଉଛି ବେଆଇନ୍ ପାର୍କିଂ । ଲୋକମାନେ ରାସ୍ତା କଡରେ ମନ ଇଛା ଗାଡି ପାର୍କିଂ କରୁଛନ୍ତି । ଯେଉଁଥିପାଇଁ ଟ୍ରାଫିକ୍ ସମସ୍ୟା ଏବେ ସବୁଠାରୁ ଚିନ୍ତାର ବିଷୟ । ଆଉ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ବଡ ପଦକ୍ଷେପ ନିଆଯାଇଛି ।

ଏଣିକି ମୁମ୍ବାଇରେ ଯେକୌଣସି ସ୍ଥାନରେ ଗାଡି ପାର୍କିଂ କରିବା ପୂର୍ବରୁ ଗାଡିଚାଳକଙ୍କୁ ୫ ଥର ଭାବିବାକୁ ପଡିବ ଯେ, ସେହି ସ୍ଥାନ ବିଏମସି ପକ୍ଷରୁ ପାର୍କିଂ ପାଇଁ ରିଜର୍ଭ କରାଯାଇଛି ନା ନାହିଁ । ଆଉ ଏପରି ହୋଇନଥିଲେ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିପାରେ । ମୁମ୍ବାଇରେ ନୋ ପାର୍କିଂ ଜୋନରେ ଗାଡି ଗାଡି ପାର୍କିଂ କଲେ ଏଣିକି ଚାଳକଙ୍କୁ ୫ ହଜାରରୁ ଆରମ୍ଭ କରି ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଆଉ ଏହି ନିୟମ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ।

କେବଳ କାର ନୁହେଁ ନୋ-ପାର୍କିଂ ଜୋନରେ ବାଇକ୍ ପାର୍କ କଲେ ମଧ୍ୟ ଜୋରିମାନା ଦେବାକୁ ପଡିବ । ଗାଡି ଚାଳକଙ୍କୁ ଏଥିପାଇଁ ୫ ହଜାରରୁ ଆରମ୍ଭ କରି ୮,୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ସେହିପରି ତିନି ଚକିଆ ଯାନବାହାନ ଗୁଡିକ ନୋ-ପାର୍କିଂ ଜୋନରେ ଗାଡି ପାର୍କ କଲେ, ଗାଡି ଚାଳକଙ୍କୁ ୮ ହଜାରରୁ ଆରମ୍ଭ କରି ୧୨,୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ । ଆଉ ସବୁଠାରୁ ବଡ କଥା ହେଉଛି, ବିଏମସିର ନିୟମ ଅନୁଯାୟୀ, ଏହି ଜୋରିମାନା ନିର୍ଦ୍ଧାରିତ ସମୟରେ ନଦେଲେ, ଏଥିରେ ପ୍ରତିଦିନ ଫାଇନ୍ ମଧ୍ୟ ଯୋଡାହେବ ।